ଲଢୁଆ ବିମାନ ମିଗ୍-୨୧ କୁ ଅନ୍ତିମ ବିଦାୟ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପସ୍ଥିତିରେ ମିଗ୍-୨୧ ଲଢୁଆ ବିମାନକୁ ଆଜି ଅନ୍ତିମ ବିଦାୟ ଦିଆଯାଇଛି । ଚଣ୍ଡିଗଡ ଏୟାରବେସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଆନୁଷ୍ଠାନିକ ଭାବେ ବାୟୁସେନାରୁ ସେବା ନିବୃତ୍ତ କରାଯାଇଛି । ୧୯୬୩ରେ ରୁଷରୁ କିଣାଯାଇଥିବା ମିଗ୍-୨୧ ବିମାନର ପ୍ରଥମ ସ୍କ୍ୱାଡ୍ରନ ଚଣ୍ଡିଗଡରେ ସ୍ଥାପନ କରାଯାଇଥିଲା । ଅବସରପ୍ରାପ୍ତ ଚିଫ୍ ମାର୍ଶାଲ ଦିଲବାଗ ସିଂହ ସେତେବେଳେ ଏହି ସ୍କ୍ୱାଡ୍ରନର ନେତୃତ୍ୱ ନେଇଥିଲେ ।
ଚଣ୍ଡିଗଡ ଏୟାରବେସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଏ.ପି.ସିଂହ ଓ ସ୍କ୍ୱାଡ୍ରନ ଲିଡର ପ୍ରିୟା ଶର୍ମା ଶେଷଥର ପାଇଁ ମିଗ୍-୨୧ ଉଡାଇଛନ୍ତି ।
ସୂଚନାଯୋଗ୍ୟ ଷାଠିଏ ଦଶକରେ ଭାରତ ରୁଷ୍ ନିକଟରୁ ମିଗ୍-୨୧ ବିମାନ କିଣିବା ଆରମ୍ଭ କରିଥିଲା। ପର୍ଯ୍ୟାୟକ୍ରମେ ଭାରତୀୟ ବାୟୁସେନା ନିକଟରେ ମୋଟ ୮୭୦ ମିଗ୍-୨୧ ବିମାନ ସାମିଲ ହୋଇଥିଲା। ପାକିସ୍ତାନ ବିପକ୍ଷ ୧୯୬୫ ଓ ୧୯୭୧ ଯୁଦ୍ଧରେ ମିଗ୍-୨୧ ଯୁଦ୍ଧ ବିମାନ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ଏପରିକି ୧୯୯୯ କାର୍ଗିଲ ଏବଂ ୨୦୧୯ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକରେ ମଧ୍ୟ ଏହି ବିମାନ ତାହାର ପରାକ୍ରମ ଦେଖାଇଥିଲା । ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ମିଗ୍-୨୧ ବିମାନ ଉଡାଇ ପାକିସ୍ତାନର ଏକ ଏଫ୍-୧୬ ବିମାନକୁ ଖସାଇବାରେ ସଫଳ ହୋଇଥିଲେ।
Powered by Froala Editor