ଏହିସବୁ ଦେଶରେ ଥିବାବେଳେ ମୁଁ ବିଦେଶରେ ଥିବା ଭଳି ଅନୁଭବ କରି ନଥିଲି: ପିଟ୍ରୋଡା

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ କଂଗ୍ରେସ (ଆଇଓସି)ର ସଭାପତି ସାମ ପିଟ୍ରୋଡାଙ୍କ ଆଉ ଏକ ବିବାଦୀୟ ମନ୍ତବ୍ୟ ରାଜନୈତିକ ଚର୍ଚ୍ଚାର ବିଷୟ ହୋଇଛି। ପିଟ୍ରୋଡା କହିଛନ୍ତି ଯେ ‘ମୁଁ ପାକିସ୍ତାନ, ବାଂଲାଦେଶ ଓ ନେପାଳ ଯାଇଥିବାବେଳେ ସେଠାରେ ନିଜକୁ ଘରେ ଥିବା ଭଳି ଅନୁଭବ କରିଥିଲି। ଏହିସବୁ ଦେଶରେ ଥିବାବେଳେ ମୁଁ ବିଦେଶରେ ଥିବା ଭଳି ଅନୁଭବ କରି ନଥିଲି। ଏହିସବୁ ଦେଶର ଲୋକ ମୋ ଭଳି ଦେଖାଯାଉଛନ୍ତି, ମୋ ଭଳି କଥାବାର୍ତ୍ତା କରୁଛନ୍ତି ଓ ମୋ ଭଳି ଖାଉଛନ୍ତି। ତେଣୁ ସେମାନଙ୍କ ସହିତ ଶାନ୍ତି ଓ ସଦ୍ଭାବନାର ସହିତ ବଞ୍ଚିବାର କଳା ଆମେ ଶିକ୍ଷା କରିବା ଉଚିତ୍।’ ପିଟ୍ରୋଡା କହିଛନ୍ତି ଯେ ଏହିସବୁ ଦେଶ ଛୋଟ ହୋଇଥିବାରୁ ସେମାନଙ୍କୁ ଆମର ସହାୟତା ଦରକାର।
ସେମାନେ ଏବେ କଷ୍ଟକର ସମୟ ଦେଇ ଗତି କରୁଛନ୍ତି। ତେଣୁ ସେମାନଙ୍କ ସହିତ ଲଢେଇ କରାଯିବା ଠିକ୍ ନୁହେଁ। ଅବଶ୍ୟ ଏଠାରେ ଆତଙ୍କବାଦ ଭଳି ସମସ୍ୟା ରହିଛି। ପିଟ୍ରୋଡାଙ୍କ ଏପରି ମନ୍ତବ୍ୟକୁ ବିଜେପି ସମାଲୋଚନା କରିଛି। ବିଜେପି ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ କହିଛନ୍ତି ଯେ କଂଗ୍ରେସ ଦଳ ଓ ଏହାର ସରକାର ପାଇଁ ପାକିସ୍ତାନ ପ୍ରିୟପାତ୍ର ଥିଲା। ସେଥିପାଇଁ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ତତ୍କାଳୀନ ୟୁପିଏ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏହା ସହିତ ଆତଙ୍କବାଦ ଅଧ୍ୟୁଷିତ ରାଷ୍ଟ୍ର ସହିତ ପିଟ୍ରୋଡାଙ୍କ ଘନିଷ୍ଠତା ଥିବା ପ୍ରମାଣିତ ହେଉଛି।
Powered by Froala Editor