ମୋଦି ଓ ତାଙ୍କ ମା’ଙ୍କ ଏଆଇ ଭିଡିଓ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ଏଆଇ ଦ୍ୱାରା ନିର୍ମିତ ଭିଡ଼ିଓ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ପାଟନା ହାଇକୋର୍ଟ । ସମ୍ପ୍ରତି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସ୍ୱର୍ଗତ ମାଆ ହୀରା ବେନ୍ଙ୍କ ଏକ ଏଆଇ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ଏହି ମାମଲାରେ ପାଟନା ହାଇକୋର୍ଟରେ ଶୁଣାଣି ସମୟରେ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ନିର୍ଦ୍ଦେଶରେ କୋର୍ଟ ଯଥାଶୀଘ୍ର ମୋଦୀ ଓ ତାଙ୍କ ମା’ଙ୍କ ଭିଡିଓକୁ ହଟାଇବାକୁ କଂଗ୍ରେସକୁ ଚେତାଇ ଦେଇଛନ୍ତି।
ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ପି.ବି ବାଞ୍ଜତରିଙ୍କ ଖଣ୍ଡପୀଠରେ ଶୁଣାଣି ସମୟରେ କୋର୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ସ୍ବର୍ଗତ ମା’ ହୀରାବେନ ମୋଦୀଙ୍କୁ ଅପମାନ କରାଇଯାଇ ପୋଷ୍ଟ କରାଯାଇଥିବା ଭିଡିଓକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ତୁରନ୍ତ ହଟାଯାଉ।’
ସେପ୍ଟେମ୍ବର ୧୦ତାରିଖରେ ବିହାର କଂଗ୍ରେସ ନିଜର ଏକ୍ସ ପ୍ଲାଟଫର୍ମରେ ଏକ ଭିଡ଼ିଓ ଜାରି କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର୍ଗତ ମାଆଙ୍କୁ ସ୍ୱପ୍ନରେ ଦେଖାଯାଉଛି ଏବଂ ବିହାରରେ ତାଙ୍କ ରାଜନୀତିକୁ ସମାଲୋଚନା କରାଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲା । କଂଗ୍ରେସ ଦଳ ଏହି ବିଷୟକୁ ନେଇ ସ୍ପଷ୍ଟ କରି କହିଥିଲା ଯେ ଭିଡ଼ିଓରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ମାଆଙ୍କ ପ୍ରତି କୌଣସି ଅସମ୍ମାନ ଦେଖାଯାଇ ନାହିଁ । କଂଗ୍ରେସ ନେତା ପବନ ଖେରା ପଚାରିଥିଲେ ଯେ ଭିଡ଼ିଓକୁ ନେଇ ସେମାନଙ୍କର କ’ଣ ଆପତ୍ତି ଅଛି । ଏହି ପୋଷ୍ଟକୁ ନେଇ ବିଜେପି ନିଜର ଅଭିଯୋଗରେ କହିଥିଲା, ‘ଏହି ଭିଡିଓ ମୋଦିଙ୍କ ଛବିକୁ ଖରାପ କରିବା ସହିତ ମହିଳାଙ୍କ ଗରିମାର ଉଲଂଘନ କରାଯାଇଛି।’ ଯଦି ସମ୍ବିଧାନ ଏବଂ ନ୍ୟାୟପାଳିକା ଅଛି, ତେବେ କାହାର ମା କିମ୍ବା ବାପାଙ୍କ ବିଷୟରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ଆଇନ ଅନୁଯାୟୀ ଏକ ଅପରାଧ ।
Powered by Froala Editor