ନେପାଳ ଅଶାନ୍ତ: ତ୍ରିଭୁବନ ଆନ୍ତର୍ଜାତିକ ବିମାନବନ୍ଦରରେ ଫସିଛନ୍ତି ୭୦୦ ଭାରତୀୟ ଯାତ୍ରୀ

ନୂଆଦିଲ୍ଲୀ: ନେପାଳରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତିକୁ ନେଇ ଦୁଇଦେଶ ମଧ୍ୟରେ ବିମାନ ଚଳାଚଳ ବ୍ୟବସ୍ଥାକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଭାରତର ଦୁଇ ପ୍ରମୁଖ ଏୟାର ଲାଇନ୍ସ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ନେପାଳକୁ ବିମାନ ସେବା ବନ୍ଦ ରଖିଛନ୍ତି। ସେହିପରି ନେପାଳ ଏୟାରଲାଇନ୍ସ ମଧ୍ୟ ଭାରତକୁ ବିମାନ ଚଳାଚଳ ବନ୍ଦ କରିଛି। ବିକ୍ଷୋଭ ଓ ହିଂସା ଯୋଗୁଁ କାଠମାଣ୍ଡୁର ତ୍ରିଭୁବନ ଆନ୍ତର୍ଜାତିକ ବିମାନ ବନ୍ଦରକୁ ମଧ୍ୟ ବନ୍ଦ ରଖାଯାଇଛି। ଏୟାର ଇଣ୍ଡିଆ ୬ଟି ବିମାନ ଦୈନିକ ନୂଆଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଉଡାଣ କରିଥାଏ। ତେବେ ୯ରୁ ୧୧ ତାରିଖ ମଧ୍ୟରେ ଟିକଟ ବୁକିଂ କରିଥିବା ଯାତ୍ରୀମାନଙ୍କୁ ଏୟାର ଇଣ୍ଡିଆ ଟିକଟ ବାବଦ ଅର୍ଥ ଫେରସ୍ତ କରିବାକୁ ଘୋଷଣା କରିଛି। ଭାରତ-ନେପାଳ ମଧ୍ୟରେ ବିମାନ ଚଳାଚଳ ବନ୍ଦ ଯୋଗୁଁ ତ୍ରିଭୁବନ ଆନ୍ତର୍ଜାତିକ ବିମାନବନ୍ଦରରେ ପ୍ରାୟ ୭୦୦ ଭାରତୀୟ ଯାତ୍ରୀ ଫସି ରହିଛନ୍ତି। ସେମାନେ ବିମାନବନ୍ଦର ବାହାରକୁ ମଧ୍ୟ ଯାଇପାରୁ ନାହାନ୍ତି।
ବିକ୍ଷୋଭ ଓ ହିଂସାକୁ ନେଇ ସେଠାକୁ ନଯିବା ଲାଗି ଭାରତ ସରକାର ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଜରୁରୀ ପରିସ୍ଥିତି ବ୍ୟତୀତ ଘରୁ ନବାହାରିବା ଲାଗି ଭାରତୀୟଙ୍କୁ କୁହାଯାଇଛି। ଜରୁରୀ ପରିସ୍ଥିତିରେ ସହାୟତା ପାଇଁ କାଠମାଣ୍ଡୁ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ହେଲପ୍ଲାଇନ ନମ୍ବର ୯୭୭-୯୮୦୮୬୦୨୮୮୧ ଓ ୯୮୧୦୩୨୬୧୩୪ ଜାରି କରାଯାଇଛି।
Powered by Froala Editor