ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି
ଭୁବନେଶ୍ୱର: ମହାନଦୀର ମୁଣ୍ଡଳିରେ ବନ୍ୟାଜଳ ପ୍ରବାହିତ ହେଉଛି। ଭଟ୍ଟାରିକା ମନ୍ଦିରରେ ବନ୍ୟା ପାଣି ପଶିଛି। ମହାନଦୀର ଶାଖା ପ୍ରଶାଖା ନଦୀର ଜଳ ପତ୍ତନ ବଢ଼ୁଛି। ନରାଜରେ ହୀରାକୁଦ ପାଣି ବିପଦ ସଙ୍କେତ ନିକଟତର ହୋଇଛି। ହୀରାକୁଦର ୨୪ଟି ଫାଟକ ଖୋଲି ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ଏହାର ପାଣି ମହାନଦୀରେ ପଶିବା ପରେ ଏଭଳି ସ୍ଥିତି ଉପୁଜିଛି। ସକାଳ ୯ଟା ସୁଦ୍ଧା ୬ଲକ୍ଷ ୧୪ହଜାର ୩୬୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା; କିନ୍ତୁ ସମୟ କ୍ରମେ ଜଳସ୍ତର ବୃଦ୍ଧି ପାଇବା ଦ୍ବାରା ଅପରାହ୍ଣ ୩ଟା ବେଳକୁ ୬ଲକ୍ଷ ୨୫ହଜାର ୯୭୫ କ୍ୟୁସେକ୍ ଛୁଇଁଥିଲା। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ପରିମାଣ ବନ୍ୟାଜଳ ପ୍ରବାହ ସ୍ଥିର ରହିଥିଲା। ମୁଣ୍ଡଳିରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ
ଏହାର ଶାଖା ନଦୀ ଦେବୀ, କୁଶଭଦ୍ରା, ଦୟା, କୁଆଖାଇ ଏବଂ ବିରୂପାରେ ଜଳସ୍ତର ବଢ଼ୁଛି। ବିଶେଷକରି ମୁଣ୍ଡଳିରେ ୬ଲକ୍ଷ କ୍ୟୁସେକ୍ ଜଳ ପ୍ରବାହ କଲେ କୌଣସି ବନ୍ୟାସ୍ଥିତି ଆସେନାହିଁ। ତଥାପି ଜଳସମ୍ପଦ ବିଭାଗର ଯନ୍ତ୍ରୀ ଏବଂ ଅଧିକାରୀମାନେ କ୍ଷେତ୍ରସ୍ତରରେ ସ୍ଥିତି ଉପରେ ନଜର ରଖିଛନ୍ତି। ଯେକୌଣସି ଅପ୍ରୀତିକର ପରିସ୍ଥିତି ଆସିଲେ ତାକୁ ସମ୍ମୁଖୀନ ହେବାକୁ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି।
ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀର ବନ୍ୟାଜଳ। କଟକ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ପଶିଛି ବନ୍ୟାଜଳ। ହୀରାକୁଦ ଜଳ ଭଣ୍ଡାରରେ ଫାଟକ ଖୋଲାଯାଇ ଥିବାରୁ ମନ୍ଦିର ବେଢ଼ାରେ ବନ୍ୟାଜଳ ପ୍ରବେଶ କରିଛି। ବନ୍ୟାଜଳ ଯଦିଓ ମା’ଙ୍କ ମନ୍ଦିରକୁ ଛୁଇଁଛି ତଥାପି ମା’ଙ୍କୁ ଜଳାଶାୟୀ କରିପାରିନି। ସନ୍ଧ୍ୟା ୬ଟା ବେଳକୁ ହୀରାକୁଦ ଜଳ ଭଣ୍ଡାରର ୮ଟି ଫାଟକକୁ ବନ୍ଦ କରି ଦିଆଯାଇଥିଲା। ୪ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ଜଳ ଭଣ୍ଡାର ଜଳସ୍ତର ୬୨୬.୬୨ଫୁଟ୍ ଥିଲା। ଉପରମୁଣ୍ଡରୁ ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୪ ହଜାର ୫୫୬ କ୍ୟୁସେକ୍ ଜଳ ପଶୁଥିଲା। ୪ଟି ଫାଟକ, ପାୱାର ଚ୍ୟାନେଲ ଏବଂ କେନାଲଗୁଡ଼ିକ ଦେଇ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫ ହଜାର ୬୦୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ମୁଣ୍ଡଳିରେ ୬ଲକ୍ଷ ୨୫ ହଜାର ୯୭୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଖଇରମାଳରେ ୩ଲକ୍ଷ ୧୦ହଜାର ଏବଂ ବରମୂଳରେ ୩ଲକ୍ଷ ୭୩ ହଜାର ୭୫୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା।
Powered by Froala Editor