ଜଣେ ଟେକ୍ନିସିଆନ, ୬ ଜିଲ୍ଲାରେ ଚାକିରି
ଗୋଟିଏ ପରିଚୟପତ୍ର ସାହାଯ୍ୟରେ ଚାକିରି ଜାଲିଆତି କେମିତି ଚାଲିଛି, ତା’ର ବାସ୍ତବ ଚିତ୍ର ଆସିଛି ୟୁପିରୁ । ଜଣେ ବ୍ୟକ୍ତିଙ୍କ ନାଁ, ଜନ୍ମ ତାରିଖ, ଠିକଣା ସବୁ ସମାନ ଥାଇ ୬ ଜିଲ୍ଲାରେ ସରକାରୀ ଚାକିରି କରୁଥିବା ଜଣାପଡିଛି । ଘଟଣାଟି ମାମଲା ଫର୍ରୁଖାବାଦ ଜନପଦର ସ୍ୱାସ୍ଥ୍ୟ ବିଭାଗର । ୯ ବର୍ଷ ହେଲା ଏକ୍ସ-ରେ ଟେକ୍ନିସିଆନ୍ ପଦରେ ଅର୍ପିତ ସିଂହଙ୍କ ନାଁ ଥିଲା । ସେ ପ୍ରତି ମାସରେ ୬ଟି ଜିଲ୍ଲାରୁ ଳକ୍ଷାଧିକ ଟଙ୍କାର ବେତନ ମଧ୍ୟ ପାଉଥିଲେ । କିନ୍ତୁ ମାନବ ସଂସାଧନ ପୋର୍ଟାଲରେ ତାଙ୍କ ନାଁ ପଞ୍ଜୀକୃତ ହେବାରୁ ରହସ୍ୟ ଉପରୁ ପରଦା ଉଠିଛି ।
ଅର୍ପିତ ସିଂହ ପ୍ରତି ମାସ ୬୯,୫୯୫ ଟଙ୍କା ଦରମା ନେଉଥିଲେ । ଗୋଟିଏ ବର୍ଷରେ ସେ ୮,୩୫,୧୪୦ ଟଙ୍କା ଦରମା ନେଇଛନ୍ତି । ସେହି ହିସାବରେ ୯ ବର୍ଷରେ କେବଳ ଗୋଟିଏ ଜିଲ୍ଲାରୁ ତାଙ୍କ ନାଁରେ ସରକାରଙ୍କୁ ୭୫,୧୬,୨୬୦ ଟଙ୍କା ଚୂନ ଲଗାଯାଇଛି । ଯଦି ୬ ଜିଲ୍ଲାରେ ଅର୍ପିତ ସିଂହଙ୍କ ଦରମାକୁ ଯୋଡ଼ାଯାଏ ତେବେ ହାରାହାରି ୪.୫ କୋଟି ଟଙ୍କା ବିଭାଗରୁ ଦରମା ଆକାରରେ ନେଇଛନ୍ତି ।
୨୦୧୬, ମେ’ରେ ସ୍ୱାସ୍ଥ୍ୟ ବିଭାଗ ଏକ୍ସ-ରେ ଟେକ୍ନିସିଆନ୍ ପଦବି ପୂରଣ କରିଥିଲା । ଏଥିରେ ମୋଟ୍ ୪୦୩ ପଦବି ପୂରଣ ହୋଇଥିଲା । ସମସ୍ତଙ୍କୁ ଅଲଗା ଅଲଗା ଜିଲ୍ଲାରେ ନିଯୁକ୍ତ କରାଯାଇଥିଲା । ପ୍ରାର୍ଥୀଙ୍କ ମଧ୍ୟରେ ଅର୍ପିତ ସିଂହଙ୍କ ନାଁ ମଧ୍ୟ ଥିଲା । ତାଙ୍କ ସିରିଏଲ ନମ୍ବର- ୮୦ ଏବଂ ପଞ୍ଜୀକରଣ ସଂଖ୍ୟା ୫୦୯୦୦୦୪୧୨୯୯ । ତାଙ୍କୁ ହାଥରସରେ ନିଯୁକ୍ତି ମିଳିଲା ଏବଂ ସେ ମୁରସାନରେ କାର୍ଯ୍ୟ କଲେ । ସ୍ୱାସ୍ଥ୍ୟ ବିଭାଗର ମାନବ ସମ୍ପଦ ପୋର୍ଟାଲରେ ପଞ୍ଜୀକରଣ ହେବା ପରେ ଆଶ୍ଚର୍ଯ୍ୟଚକିତ ମାମଲାର ଖୁଲାସା ହୋଇଛି । ନାଁ, ଠିକଣା, ସବୁ ସମାନ ଥାଇ ଅର୍ପିତ ସିଂହ ୬ ଜିଲ୍ଲା ଯଥା, ଫର୍ରୁଖାବାଦ, ବାନ୍ଦା, ବଲରାମପୁର, ବଦାୟୁଁ, ରାମପୁର ଓ ଶାମଲୀରେ ଏକ ସମୟରେ ସରକାରୀ ପଦରେ ନିଯୁକ୍ତ ଥିଲେ ।
ମୁଖ୍ୟ ଚିକିତ୍ସା ଅଧିକାରୀ ଏ ମାମଲାରେ ଏକ ଯାଞ୍ଚ୍ ଟିମ୍ ଗଠନ କରିଛନ୍ତି । ଯାଞ୍ଚ୍ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀର୍ଘ ବର୍ଷ ଧରି ଜଣେ ବ୍ୟକ୍ତି ସରକାରୀ ବେତନର ଲାଭ କେମିତି ଉଠାଉଥିଲେ ତାକୁ ନେଇ ଯାଞ୍ଚ ଜରୁରୀ ।
Powered by Froala Editor