ଏଣିକି ସରକାରୀ ଜମିକୁ ଚିହ୍ନଟ କରାଯାଇ ସେଥିରୁ ହେବ ରାଜସ୍ବ ସଂଗ୍ରହ

ଭୁବନେଶ୍ୱର: ସାରା ରାଜ୍ୟରେ ଓଡ଼ିଶା ସରକାରଙ୍କ ଶହ ଶହ ଏକର ଜମି ଅବ୍ୟବହୃତ ହୋଇ ପଡ଼ି ରହିଛି। ଏଣିକି ସରକାରୀ ବିଭାଗ ମାଲିକାନାରେ ଥିବା ଜମିକୁ ଚିହ୍ନଟ କରାଯାଇ ସେଥିରୁ ରାଜସ୍ବ ସଂଗ୍ରହ ପାଇଁ ପଦକ୍ଷେପ ନିଆଯିବ। ଉକ୍ତ ଜମିକୁ ଚିହ୍ନଟ କରି ନିଜ ଦଖଲକୁ ନେବା ସହିତ ତାହାର ବ୍ୟବସାୟୀକରଣ ଯୋଜନା ପ୍ରସ୍ତୁତ କରିବା ଲାଗି ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସରକାରୀ ଜମିର ବ୍ୟବସାୟୀକରଣ ସମ୍ପର୍କିତ ପୂରା ପ୍ରକ୍ରିୟା ଅର୍ଥ ବିଭାଗ ତଦାରଖ କରିବ।
ସାରା ରାଜ୍ୟରେ ସରକାରଙ୍କ ୪୦ ବିଭାଗ ଏବଂ ଏହାର ନିର୍ଦେଶାଳୟ, ନିଗମ, ବୋର୍ଡ ଆଦିର ମୂଲ୍ୟବାନ ଜମି ରହିଛି। ପ୍ରକଳ୍ପ, କାର୍ଯ୍ୟାଳୟ କିମ୍ବା ଅନ୍ୟ ନିର୍ମାଣ ପାଇଁ ସରକାରୀ ବିଭାଗଗୁଡ଼ିକୁ ଦିଆଯାଇଥିବା ଜମି ଆଦୌ ବ୍ୟବହାର ହୋଇ ନାହିଁ। ସରକାର ସେଥିରୁ ଟଙ୍କାଟିଏ ବି ପାଉ ନାହାନ୍ତି ବରଂ ଖାଲି ଜମିକୁ ବର୍ଷ ବର୍ଷ ଧରି ଜବରଦଖଲରେ ରଖାଯାଇଛି। ସେଥିରୁ ଅଧିକାଂଶ ଜମି ଠାବ କରିବା ମଧ୍ୟ କଷ୍ଟକର। ଏହାକୁ ସରକାର ଗୁରୁତର ସହ ନେଇ ତାହାର ସଦୁପଯୋଗ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।
ଏହି ମର୍ମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସବୁ ବିଭାଗକୁ ନେଇ ଅନୁଷ୍ଠିତ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ସେହି ଜମି ଅଧିଗ୍ରହଣ ହେବା ପରେ ଲ୍ୟାଣ୍ଡ ବ୍ୟାଙ୍କ ସୃଷ୍ଟି କରାଯିବ। ଏହାପରେ ଉକ୍ତ ଜମିର ଅବସ୍ଥିତି ଦେଖି ସେଠାରେ କ’ଣ କରାଯାଇ ପାରିବ ତାହା ଉପରେ ନିଷ୍ପତ୍ତି ହେବ। ବିଶେଷକରି ଘରୋଇ ସଂସ୍ଥାକୁ ୩୦ ବର୍ଷିଆ ଲିଜ୍ ସୂତ୍ରରେ ଦେବା କିମ୍ବା ସରକାରୀ ଘରୋଇ ଭାଗୀଦାରିରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ। ଏହା ଦ୍ବାରା ଜମି ସୁରକ୍ଷିତ ରହିବ ଏବଂ ସରାକର ରାଜସ୍ବ ପାଇବେ।
Powered by Froala Editor