ରିକ୍ସା ଚାଳକରୁ ଗ୍ୟାଙ୍ଗଷ୍ଟାର, ଜାଣନ୍ତୁ କାହାଣୀ
ଏକଦା କେନ୍ଦ୍ରାପଡ଼ାରେ ରିକ୍ସା ଚଲାଇ ରୋଜଗାର କରୁଥିଲା ସେକ ହାଇଦର । ସେତେବେଳେ କେନ୍ଦ୍ରାପଡ଼ାରୁ ଶବ ବ୍ୟବଚ୍ଛେଦ ପାଇଁ କଟକ ଆସୁଥିବା ବେଳେ ହାଇଦର ରିକ୍ସାରେ ଶବ ନେଇ କଟକ ଆସୁଥିଲା । ପରେ ସେ ଟ୍ରେକର ଓ ଟ୍ରକ ବି ଚଳାଇଥିଲା । କିନ୍ତୁ ୧୯୮୦ ପରବର୍ତ୍ତୀ ସମୟରେ ସେ ଅପରାଧ ଦୁନିଆରେ ପାଦ ଦେବା ସହିତ ୧୯୯୧ ବେଳକୁ ଗ୍ୟାଙ୍ଗଷ୍ଟାର ବନି ଯାଇଥିଲା । ୧୯୮୦ ରେ କେନ୍ଦ୍ରାପଡ଼ା ନୂଆ ବସ ଷ୍ଟାଣ୍ଡରୁ ଆରପଟକୁ ଯିବା ପାଇଁ ଗୋବରୀରେ ହେଉଥିବା ବାଉଁଶ ପୋଲ ଓ ସେଥିରୁ ଆଦାୟ ହେଉଥିବା ଟଙ୍କାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ରବିନ ବେହେରା ନିୟନ୍ତ୍ରଣରେ ସେହି ପୋଲ ରହୁଥିବା ବେଳେ ରବିନ ଏକ ମର୍ଡର କେସରେ ଫସି ଜେଲ ଯାଇଥିଲା । ଜେଲରୁ ଫେରିବା ପରେ ଟିଟୋ ସୟଦ ଉସମାନ ଅଲ୍ଲୀ ରବିନ ସହିତ ମିଶିଥିଲା । ପରେ ରବିନ ଟିଟୋ ସୋଲେମାନ ମିଶି ଗ୍ୟାଙ୍ଗ ଗଢ଼ିଲେ । କିନ୍ତୁ ଡକାୟତି ଟଙ୍କା ବଣ୍ଟାକୁ ନେଇ ୧୯୮୯ ରେ ଟିଟୋ ଓ ରବିନ ଭିତରେ ଗଣ୍ଡଗୋଳ ହେଲା । ଟିଟୋ ଅଲଗା ଗ୍ୟାଙ୍ଗ ଗଢ଼ିଲା । ସେଥିରେ ସାମିଲ ହେଲା ସୋଲେମାନ । ଟିଟୋ ଓ ସୋଲେମାନ ମିଶି କ୍ୟାସେଟ ବେପାର ବି କଲେ । କିନ୍ତୁ ସେହି ସମୟରେ ବୁଲା ସେଠୀ ଓ ସୋଲେମାନ ମିଶି ରବିନକୁ ହତ୍ୟା କଲେ । ଟିଟୋ-ସୋଲେମାନ ବୁଲା ସେଠୀଙ୍କ ଗ୍ୟାଙ୍ଗ ପ୍ରଭାବଶାଳୀ ହେବାକୁ ଲାଗିଥିବା ବେଳେ ୧୯୯୧ ରେ ହାଇଦର ସହ ମିଶିଲେ ରବିନର ସହଯୋଗୀ । ବଣୁଆ ଆଉ ବାବୁ ପ୍ରମୁଖ । ହାଇଦର, ବଣୁଆ, ବାବୁ ମିଶି କୋର୍ଟ ପରିସରରେ ବୋମା ଓ ଗୁଳିମାଡ଼ କରି ବୁଲା ସେଠୀକୁ ହତ୍ୟା କଲେ । ସେହି ସମୟରେ କିଛି ବର୍ଷ ହାଇଦର ଟିଟୋ-ସୋଲେମାନ ମିଶି କାମ କଲେ । କିନ୍ତୁ ପୁଣି ସେମାନଙ୍କ ଭିତରେ ଫାଟ ହୋଇଥିବା ବେଳେ ୧୯୯୭ ରେ ଡିଏସପି ଜୟଦୀପ ଷଡଙ୍ଗୀ କେନ୍ଦ୍ରାପଡ଼ାରେ ହାଇଦରକୁ ଏନକାଉଣ୍ଟର କରିଥିଲେ । ଟିଟୋ ଗ୍ୟାଙ୍ଗ ବି ହାଇଦର ଉପରେ ଦୁଇଥର ଆକ୍ରମଣ ଉଦ୍ୟମ କରିଥିଲେ ବି ସେ ବର୍ତ୍ତି ଯାଇଥିଲା । କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ ରାସ୍ତାରେ ଦୋବନ୍ଧା ନିକଟରେ ଏକ ବାହାଘରକୁ ନେଇ ଗଣ୍ଡଗୋଳରୁ ଟିଟୋ ଓ ହାଇଦର ଅଲଗା ହୋଇଯାଇଥିଲେ ।