୧୨୪ ବର୍ଷୀୟା ଭୋଟରଙ୍କୁ ନେଇ ଚର୍ଚ୍ଚା

ଦିଲ୍ଲୀରେ ସଂସଦ ବାହାରେ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିପକ୍ଷର ଅନେକ ବଡ଼ ନେତା ଭୋଟ୍ ତ୍ରୁଟିକୁ ନେଇ ହୋହଲ୍ଲା କରୁଛନ୍ତି । ଇତି ମଧ୍ୟରେ ବିହାରର ଜଣେ ୩୫ ବର୍ଷୀୟା ମହିଳାଙ୍କ ଭୋଟର କାର୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି । ୩୫ ବର୍ଷୀୟା ମିନ୍ତା ଦେବୀଙ୍କ ବୟସ ଭୋଟର୍ କାର୍ଡରେ ୧୨୪ ବର୍ଷ ଉଲ୍ଲେଖ ହୋଇଛି । ଯାହାକୁ ନେଇ ମିନ୍ତା ଦେବୀ ଓ ତାଙ୍କ ପରିବାର ଚିନ୍ତିତ ।
ମିନ୍ତା ଦେବୀ ସିୱାନ୍ର ଅରଜାନୀପୁର ଗାଁର ବାସିନ୍ଦା ଓ ଧନଞ୍ଜୟ ସିଂହଙ୍କ ପତ୍ନୀ । ମିନ୍ତା ଦେବୀଙ୍କ ନାଁ ପ୍ରଥମ ଥର ଭୋଟର ଲିଷ୍ଟ୍ରେ ସାମିଲ ହୋଇଛି । ଦରୌନ୍ଦା ବିଧାନସଭା କ୍ଷେତ୍ରର ୯୪ ନମ୍ବର ବୁଥ୍ରେ ତାଲିକାର ୫୨୬ ନମ୍ବରରେ ତାଙ୍କ ନାଁ ଅଛି । ଘର ସଂଖ୍ୟା ସ୍ଥାନରେ ସ୍ୱାମୀଙ୍କ ନାଁ ଉଲ୍ଲେଖ ହୋଇଛି । କିନ୍ତୁ ମିନ୍ତା ଦେବୀଙ୍କ ଜନ୍ମ ବର୍ଷ ୧୯୯୦, କିନ୍ତୁ ଭୋଟର ଲିଷ୍ଟ୍ରେ ୧୯୦୦ ମସିହା ଉଲ୍ଲେଖ ହୋଇଛି । ତାଲିକାରେ ତାଙ୍କ ବୟସ ୧୨୪ ବର୍ଷ ଲେଖାଯାଇଛି ।
ବିହାର ଭୋଟର ଲିଷ୍ଟ୍ରେ ବଡ଼ ଧରଣର ତ୍ରୁଟି ହୋଇଥିବା ବିପକ୍ଷ ଅଭିଯୋଗ କରୁଛି । ମିନ୍ତା ଦେବୀ ଏହାର ସଦ୍ୟ ଉଦାହରଣ । ବିପକ୍ଷ ନେତାଙ୍କୁ ମିନ୍ତା ଦେବୀ ପ୍ରଶ୍ନ କରିଛନ୍ତି ‘ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀ କିଏ? ମୋ ନାଁ ଓ ଫଟୋ ଥିବା ଟି-ସାର୍ଟ ପିନ୍ଧିବାର ଅଧିକାର ସେମାନଙ୍କୁ କିଏ ଦେଲା? ମୋ ବୟସକୁ ନେଇ ସେମାନେ କାହିଁକି ମୋର ଶୁଭଚିନ୍ତକ ହୋଇଛନ୍ତି?’
ଅନ୍ୟପକ୍ଷେ, ମିନ୍ତା ଦେବୀଙ୍କ ଶ୍ୱଶୂର ତେଜ୍ ବାହାଦୁର ସିଂହ କହିଛନ୍ତି, ମୋ ପୁଅ-ବୋହୂ ଛପରାରେ ରହୁଛନ୍ତି । ପୁଅ ସେଠାରେ ଅଟୋ ଚଳାଇ ଜୀବନଯାପନ କରୁଛି । ଏସ୍ଆଇଆର୍ ପ୍ରକ୍ରିୟା ଚାଲିଥିବାବେଳେ ପୁଅ-ବୋହୂ ଗାଁକୁ ଆସିଥିଲେ । କିନ୍ତୁ ବିଏଲ୍ଓ (ବୁଥ୍ ସ୍ତରୀୟ ଅଧିକାରୀ) ଆମ ଘରକୁ ଆସିଲେ ନାହିଁ କି ଆମକୁ ଡାକିଲେ ନାହିଁ । ଅନ୍ୟ ଜଣଙ୍କ ଘରେ ବସି ସେ ସମସ୍ତଙ୍କ ଫର୍ମ ଭରିଦେଲେ । ତାଲିକା ଆସିବା ପରେ ଆମେ ଏହି ତ୍ରୁଟି ଜାଣିପାରିଲୁ । ଏ ମାମଲାରେ ନିର୍ବାଚନ ଆୟୋଗ ତରଫରୁ ଅଦ୍ୟାବଧି କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ ।
Powered by Froala Editor