ଝିଅ ଜନ୍ମ ଖୁସି, ଆଶୀର୍ବାଦ ଦେବାକୁ ଆସିଲେ ୨୧ ଗାଁର ଲୋକ

ଯେଉଁଠି ଝିଅ ଜନ୍ମ ହେବାକୁ ନେଇ ପରିବାର ମୁହଁ ମୋଡି ଦେଉଛନ୍ତି ସେଇଠି ହରିୟାଣାର ଏକ ପରିବାରରେ ଝିଅ ଜନ୍ମକୁ ନେଇ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ବିବାହର ୧୯ ବର୍ଷ ପରେ ଜଣେ ଦମ୍ପତିଙ୍କ ଘରେ ଝିଅ ଜନ୍ମ ହୋଇଛି । ଥୁଆ ଗାଁର ବାସିନ୍ଦା ଏହି ଦମ୍ପତି ଝିଅ ଜନ୍ମ ପରେ ଏକ ଭବ୍ୟ ଭୋଜିର ଆୟୋଜନ କରିଥିଲେ । ଯେଉଁଥିରେ କେବଳ ନିଜ ଗାଁ ନୁହେଁ, ଆଖପାଖର ୨୧ ଗାଁକୁ ନିମନ୍ତ୍ରଣ କରିଥିଲେ ।
୨୦୦୬, ଜୁନ୍ ୯ରେ ଝୀଲ୍ ଗାଁର କୃଷ୍ଣାଙ୍କ ସହ ସୁରେନ୍ଦ୍ରଙ୍କ ବିବାହ ହୋଇଥିଲା । ବିବାହର ଅନେକ ବର୍ଷ ପରେ ସନ୍ତାନ ନ ହେବାରୁ ଦମ୍ପତି ଅନେକ ହସ୍ପିଟାଲରେ ଚିକିତ୍ସା କରାଇଲେ । ପତ୍ନୀ ଗର୍ଭବତୀ ହେଲେ ମଧ୍ୟ ୨ୟ-୩ୟ ମାସରେ ଗର୍ଭପାତ ହୋଇଯାଉଥିଲା । ୧୦ରୁ ଅଧିକ ଥର କୃଷ୍ଣା ଗର୍ଭପାତ ଯନ୍ତ୍ରଣାର ସମ୍ମୁଖୀନ ହେଲେ । ଶେଷରେ ଉଭୟ ସନ୍ତାନ ଲାଭ ଆଶା ଛାଡ଼ିଦେଲେ । କିନ୍ତୁ ବର୍ଷକ ତଳେ କୃଷ୍ଣା ଗର୍ଭବତୀ ହେଲେ । ଜୁଲାଇ ୧୦ ତାରିଖରେ ଉଭୟ ଏକ ଶିଶୁ କନ୍ୟା ଲାଭ କଲେ । ଝିଅର ନାମ ରଖିଲେ ଭୂମି ।
ବର୍ଷ ବର୍ଷର ଦୁଃଖ ପରେ ସନ୍ତାନ ପ୍ରାପ୍ତି ହୋଇଥିବାରୁ ସେମାନେ ଖୁସିରେ ଆତ୍ମବିଭୋର ହୋଇପଡଇଛନ୍ତି । ଝିଅ ଜନ୍ମ ହେବା ଖୁସିରେ ୨୧ ଗାଁର ଲୋକଙ୍କୁ ନିମନ୍ତ୍ରଣ ଦେଇଛନ୍ି । ଡିଜେର ତାଳେ ତାଳେ ପୂରା ପରିବାର ଓ ମହିଳାମାନେ ଆନନ୍ଦରେ ନାଚିଛନ୍ତି ।
Powered by Froala Editor