ସ୍କୁଲରେ ଲାଗୁ ହେବ ଓପନ ବୁକ୍ ଏକଜାମ୍ : ବହି ଓ ନୋଟ୍ ବୁକ୍ ଧରି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
ସ୍କୁଲରେ ଲାଗୁ ହେବ ଓପନ ବୁକ୍ ଏକଜାମ୍ । ଏ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-CBSE । ଚଳିତ ବର୍ଷରୁ ଆରମ୍ଭ ହେବ ପାଇଲଟ୍ ପ୍ରୋଜେକ୍ଟ। ସିବିଏସ୍ଇ ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ଠାରୁ ନବମ ଶ୍ରେଣୀ ପାଇଁ ଓପନ୍ ବୁକ୍ ଆସେସମେଣ୍ଟ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ଓପନ୍ ବୁକ୍ ଏକଜାମ୍ ଏକ ପରୀକ୍ଷା ଫର୍ମାଟ୍ ଯେଉଁଥିରେ ଛାତ୍ରଛାତ୍ରୀମାନଙ୍କୁ ପରୀକ୍ଷା ସମୟରେ ପୁସ୍ତକ, ନୋଟ୍ ବୁକ୍ ବ୍ୟବହାର କରିବାକୁ ଅନୁମତି ଦିଆଯାଏ । ଛାତ୍ରଛାତ୍ରୀମାନେ ସେହି ଅଧ୍ୟୟନ ସାହାଯ୍ୟରେ ପରୀକ୍ଷା ଦେଇପାରିବେ ଅର୍ଥାତ୍ ପୁସ୍ତକ ଖୋଲି ପରୀକ୍ଷାରେ ପାଠ ଲେଖିବା । ଏହି ଫର୍ମାଟରେ ଛାତ୍ରଛାତ୍ରୀଙ୍କ ଘୋଷା ପାଠରୁ ଧ୍ୟାନ ହଟାଇ ବୁଝିବା ଶକ୍ତି ଓ ଜ୍ଞାନ ପରୀକ୍ଷା, ଯୋଗ୍ୟତା ଭିତ୍ତିକ ଶିକ୍ଷା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସିବିଏସଇ ନିଷ୍ପତ୍ତି ନେଇଛି ।
ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ସିବିଏସଇର ଏହି ନିଷ୍ପତ୍ତି ପଛରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଡିଜିଟାଲ ପ୍ଲାଟ୍ ଫର୍ମରୁ ଛାତ୍ରଛାତ୍ରୀଙ୍କ ଧ୍ୟାନ ହଟାଇ ପାଠ୍ୟପୁସ୍ତକ ପ୍ରତି ଆଗ୍ରହ ସୃଷ୍ଟି କରିବା । କାରଣ ବର୍ତ୍ତମାନ ଯୁଗର ପିଲାମାନେ ଗୁଗୁଲ୍, ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମରୁ ଶିକ୍ଷା ଗ୍ରହଣ କରିବାରେ ବ୍ୟସ୍ତ ରହୁଛନ୍ତି । ଓପନ ବୁକ୍ ଏକଜାମ୍ ପାଇଁ ଶିକ୍ଷକ ମାନଙ୍କୁ ଖୁବଶୀଘ୍ର ପ୍ରଶିକ୍ଷଣ ଦିଆଯିବ ।
ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଆଦି ମୁଖ୍ୟ ବିଷୟରେ ଏହି ବ୍ୟବସ୍ଥା ଲାଗୁ ହେବ। ପରୀକ୍ଷାମୂଳକ ଭାବେ ଏହାକୁ ଲାଗୁ ପାଇଁ ଗତ ଜୁନ୍ ରେ ଅନୁମତି ଦେଇଥିଲା ସିବିଏସ୍ଇ ଗଭର୍ଣ୍ଣିଂ ବଡି। ନ୍ୟାସନାଲ କରିକୁଲମ୍ ଫ୍ରେମୱର୍କ ଫର୍ ସ୍କୁଲ ଏଜୁକେସନ୍ ୨୦୨୩ ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ଧାରାରେ, ଘୋଷା ପାଠରୁ ପିଲାଙ୍କ ଧ୍ୟାନ ହଟାଇ ବିଶ୍ଳେଷଣାତ୍ମକ ଏବଂ ଯୋଗ୍ୟତା ଭିତ୍ତିକ ଶିକ୍ଷା ଉପରେ କେନ୍ଦ୍ରୀଭୂତ କରିବାକୁ ଏହି ନିଷ୍ପତ୍ତି ହୋଇଛି। ତେବେ ଏହି ଫର୍ମାଟରେ ପରୀକ୍ଷା କରାଇବେ କି ନାହିଁ ଏହା ସ୍କୁଲ ଗୁଡ଼ିକର ଇଚ୍ଛାଧୀନ ରହିବ।
Powered by Froala Editor