ଛାତ୍ରଙ୍କ ଉପରେ ଖସିପଡ଼ିଲା ବିଦ୍ୟୁତ୍ ଖୁଣ୍ଟ, ଚାଲିଗଲା ଜୀବନ
ସମ୍ବଲପୁର: ରେଳଧାରଣା ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସମୟରେ ଏହା ଏକ ଛାତ୍ରଙ୍କ ଉପରେ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଫାଟକ ରେଳଧାରଣା କଡରେ ଥିବା ବୁଢ଼ାରଜା ୟୁପି ସ୍କୁଲର ଜଣେ ୬ଷ୍ଠ ଶ୍ରେଣୀର ଛାତ୍ର ଦିପୁ ଯାଦବ (୧୧)ଙ୍କ ଉପରେ ଏହି ବିଦ୍ୟୁତ୍ ଲୁହା ଖୁଣ୍ଟ ଖସି ପଡ଼ିଥିଲା। ଫଳରେ ଦିପୁଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗିବା ସହ ମୁଣ୍ଡ ପଛପଟେ ମାଡ ହୋଇଥିଲା। ତୁରନ୍ତ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ବିଦ୍ୟାଳୟ ପରିସରକୁ ଲାଗି ଯାଇଥିବା ରେଳଧାରଣା ନିକଟସ୍ଥ ଏହି ବିଦ୍ୟୁତ୍ ଖୁଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିଲା ା ତେବେ ତାହା ହଠାତ୍ ଖସି ପଡ଼ିବାରୁ ବିଦ୍ୟାଳୟ ପାଚେରି ନିକଟରେ ପରିସ୍ରା କରୁଥିବା ଛାତ୍ର ବିହାରିପଡ଼ାର ଦିପୁଙ୍କ ଉପରେ ପଡ଼ିଥିବା ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଉଜାଗର ପ୍ରଧାନ ସୂଚନା ଦେଇଛନ୍ତି।
ଏନେଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଜ୍ଞା ପ୍ରଧାନ କହିଛନ୍ତି, ଅପରାହ୍ଣ ୩ଟା ୪୫ ମିନିଟ୍ରେ ଅନୁମତି ନେଇ ଛାତ୍ରଜଣକ ପରିସ୍ରା କରିବାକୁ ଯାଇଥିବା ବେଳେ ପାଚେରିର ଅପରପାର୍ଶ୍ବରେ ଥିବା ଏକ ଲୁହା ଖୁଣ୍ଟ ତାଙ୍କ ଉପରେ ପଡ଼ି ଯାଇଥିଲା। ତୁରନ୍ତ ଡାକ୍ତରଖାନା ନେଇଥିଲୁ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ା ଦିପୁ ଯାଦବଙ୍କ ପ୍ରାଣହାନି ଘଟଣା ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏହାସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହାସହ ରେଳ ବିଭାଗ ପକ୍ଷରୁ ୧୦ ଲକ୍ଷ ଟଙ୍କା ଏବଂ ଜିଲା ପ୍ରଶାସନ ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି।
Powered by Froala Editor