କେହି ସାହାଯ୍ୟ କଲେନି, ବାଇକ୍ରେ ବାନ୍ଧି ମୃତଦେହ ନେଲା ସ୍ୱାମୀ

ମହାରାଷ୍ଟ୍ରର ନାଗପୁର ଜିଲ୍ଲାରୁ ଦୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନାଗପୁରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପତ୍ନୀଙ୍କ ମୃତଦେହ ନେବା ପାଇଁ କୌଣସି ପ୍ରକାର ସୁବିଧା ନମିଳିବାରୁ ୩୫ ବର୍ଷୀୟ ବ୍ୟକ୍ତି ମୃତଦେହକୁ ବାଇକରେ ବାନ୍ଧି ନେଇଥିଲେ।
ସୂଚନାଯୋଗ୍ୟ, ଏହି ଘଟଣା ରକ୍ଷାବନ୍ଧନ ଦିନ ଅର୍ଥାତ୍ ଅଗଷ୍ଟ ୯ ତାରିଖରେ ଘଟିଥିଲା । ମଧ୍ୟପ୍ରଦେଶର ସିଓନିର ବାସିନ୍ଦା ଅମିତ ଯାଦବ ରକ୍ଷାବନ୍ଧନ ପାଳନ କରିବାକୁ ତାଙ୍କ ସ୍ତ୍ରୀ ଗ୍ୟାରସିଙ୍କୁ ବାଇକରେ ବସାଇ ଭଉଣୀ ଘରକୁ ଯାଉଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଅମିତଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଗ୍ୟାରସି ବାଇକରୁ ଛିଟିକି ରାସ୍ତାରେ କଚାଡ଼ି ହୋଇପଡ଼ିଥିଲେ। ଦୁର୍ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।
ଅମିତ ରାସ୍ତାଘାଟରେ ଥିବା ଲୋକଙ୍କଠାରୁ ସାହାଯ୍ୟ ମାଗିଥିଲେ, କିନ୍ତୁ କେହି ତାଙ୍କୁ ସହାୟତା କରିନଥିଲେ । ଶେଷରେ ଅମିତ କିଛି ଉପାୟ ନପକାଇ ମୃତଦେହକୁ ନିଜ ବାଇକରେ ବାନ୍ଧି ଘର ଅଭିମୁଖେ ବାହାରିଥିଲେ। ବାଇକରେ ସ୍ତ୍ରୀଙ୍କ ମୃତଦେହ ବାନ୍ଧୁଥିବା ସମୟରେ ଅମିତ ଯେମିତି ତାଙ୍କ ସ୍ତ୍ରୀଙ୍କୁ କହିଥିଲେ, ‘ମନ ଉଣା କରିବ ନାହିଁ। ଅନେକ ଲୋକଙ୍କୁ ସାହାଯ୍ୟ ମାଗିଲି। କିନ୍ତୁ କୌଣସି ପ୍ରକାର ସାହାଯ୍ୟ ନମିଳିବାରୁ ବାଧ୍ୟ ହୋଇ ମୋ ବାଇକ ପଛରେ ତୁମକୁ ବାନ୍ଧି ନେଉଛି।’
କିଛି ସମୟ ପରେ ଏକ ପୋଲିସ ଭ୍ୟାନ ତାଙ୍କୁ ଅନୁସରଣ କରି ଅଟକାଇଥିଲା। ପୋଲିସ ଗ୍ୟାରସୀଙ୍କ ମୃତଦେହକୁ ନାଗପୁରର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜକୁ ମୃତଦେହ ପରୀକ୍ଷା ପାଇଁ ପଠାଇଥିଲେ ଏବଂ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରିଥିଲେ।ଏଥିସହିତ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଟ୍ରକ ଚାଳକଙ୍କୁ କାବୁ କରିବା ପାଇଁ ତଦନ୍ତ କରୁଛି ପୁଲିସ।
Powered by Froala Editor