କୋହଳ ହେବ କଟକଣା
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ମେ’ ୫ରେ ଘୋଷିତ ତାଲାବନ୍ଦର ୫ମ ପର୍ଯ୍ୟାୟ ଅବଧି ଆଜି ଶେଷ ହେଉଛି। ହେଲେ ସରକାରଙ୍କ ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ଭାବେ ସାଧିତ ହୋଇପାରିନାହିଁ। ପ୍ରାୟ ୨୦ ଜିଲାରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିଥିଲେ ୫ଟି ଜିଲାରେ ଆଗପଛ ହୋଇ ରହିଛି। ଅବଶିଷ୍ଟ ୫ଟି ଜିଲାରେ ସଂକ୍ରମଣ ଯେଭଳି କମିବା କଥା ତାହା ହେଉନି। ବୁଧବାର ତଥ୍ୟ ଅନୁଯାୟୀ, ଖୋର୍ଦ୍ଧା ଓ କଟକ ଲାଲ ବଳୟରେ ରହିଥିବା ବେଳେ ଅନ୍ୟ ୫ଟି ଜିଲାରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୧୦୦ ଉପରେ ରହିଛି। ଚତୁର୍ଥ ପର୍ଯ୍ୟାୟ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ ହାର ୪.୭ରୁ ୫ ପ୍ରତିଶତ ଭିତରେ ଥିବାବେଳେ ଗତକାଲି ସୁଦ୍ଧା ଏହି ହାର ୨.୯ରେ ରହିଛି।
୫ମ ପର୍ଯ୍ୟାୟ ତାଲାବନ୍ଦ ଯୋଗୁଁ ରାଜ୍ୟରେ ସଂକ୍ରମଣ ହାର ପ୍ରାୟ ୧.୮ ପ୍ରତିଶତ କମିଛି। ସମ୍ପ୍ରତି ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସରକାରଙ୍କ ପକ୍ଷରୁ ତାଲାବନ୍ଦ କଟକଣା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ ‘କ’-ବର୍ଗରେ ଥିବା ୨୦ ଜିଲାରେ କଟକଣାକୁ ଆଉ ଟିକିଏ କୋହଳ କରାଯିବ। ଜିଲା ଭିତରେ ଯେଉଁ ବସ୍ ଚଳାଚଳ କରୁଛି ତାକୁ ଜିଲାରୁ ଅନ୍ୟ ଜିଲାକୁ ସମ୍ପ୍ରସାରିତ କରାଯିବ। ଏହାବାଦ୍ ତାଲାବନ୍ଦରେ ମଲ୍ ଓ ଅନ୍ୟାନ୍ୟ କେତେକ ଦୋକାନ ବଜାର ଯେଉଁ ବନ୍ଦ ରହିଥିଲା ତା’ ଉପରେ କୋହଳ କରାଯିବାକୁ ପ୍ରସ୍ତାବ ରହିଥିବା ବେଳେ ଖ’-ବର୍ଗରେ ଥିବା ୧୦ ଜିଲାରେ କେବଳ ଦୋକାନ ବଜାର ଖୋଲିବା ଅବଧିକୁ ସନ୍ଧ୍ୟା ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ରହିଛି। ଏହାବାଦ୍ ସାନ୍ଧ୍ୟ ଆଇନ ପୂର୍ବପରି ବଳବତ୍ତର ରହିବା ସାଙ୍ଗକୁ ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟଣା ଜାରି ରହିବ। ସିନେମା ହଲ୍, ଯାତ୍ରା, ଥିଏଟର ଓ ମଲ୍ଗୁଡିକ ଏହିସବୁ ଜିଲାରେ ପୂର୍ବପରି ତାଲାବନ୍ଦ ଭିତରେ ରହିବ ବୋଲି ଜଣାଯାଇଛି।
ଅନ୍ୟପକ୍ଷରେ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ ଏବେ ବି ସଂକ୍ରମଣ ହାର ୩ ପ୍ରତିଶତ ପାଖାପାଖି ରହିଛି। ଆଗାମୀ ଦିନରେ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞ ମତପ୍ରକାଶ କରୁଛନ୍ତି। ସରକାର ଏହାର ମୁକାବିଲା ଲାଗି ସବୁ ପ୍ରକାର ପ୍ରସ୍ତୁତ ରହିଛନ୍ତି। ତେବେ ଜନସାଧାରଣ ଯଦି ନିଜର ଜୀବନ ପ୍ରତି ସଚେତନ ନ ହେବେ କିଛି କରିହେବନାହିଁ। ରାଜ୍ୟର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଲାବନ୍ଦ ନିଷ୍ପତ୍ତି ସମ୍ପର୍କରେ ଆଜି ସରକାର ତାଙ୍କ ନିଷ୍ପତ୍ତି ଘୋଷଣା କରିପାରନ୍ତି ବୋଲି ଡା. ମହାପାତ୍ର ସୂଚନା ଦେଇଛନ୍ତି।
Powered by Froala Editor