ବଢିଲା ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା, ହୋଇଛନ୍ତି ଅଧିକ ସଂଖ୍ୟାରେ ପୁଲିସ ମୁତୟନ

ଭୁବନେଶ୍ୱର: ଦିଲ୍ଲୀ ଏମ୍ସରେ ବଳଙ୍ଗାରେ ପୋଡିହୋଇଥିବା ପୀଡିତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ଓଡ଼ିଶା ପୁଲିସ ପକ୍ଷରୁ ଟ୍ୱିଟ କରାଯାଇ କେହି ସମ୍ପୃକ୍ତି ନଥିବା କଥା ସୂଚନା ଦିଆଯାଇଛି । ବଳଙ୍ଗା ପୀଡିତାଙ୍କ ପିତା ତାଙ୍କ ଝିଅ ମାନସିକ ଚାପ ଯୋଗୁଁ ପୋଡି ହୋଇଯାଇଥିବା କଥା ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି ।
ବଳଙ୍ଗା ପୀଡିତାଙ୍କ ମୃତ୍ୟୁପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ବଢିଛି । ରାସ୍ତାରେ ବାଧା ରଖାଯିବା ସହ ଅଧିକ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛନ୍ତି ।
ବଳଙ୍ଗା ପୀଡ଼ିତା ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି।
ଗତ ଜୁଲାଇ ୧୯ ତାରିଖରେ ବଳଙ୍ଗା ଥାନା ଅଞ୍ଚଳର ଏହି ନାବାଳିକାଙ୍କୁ ଘରଠାରୁ କିଛି ଦୂରରେ ନଦୀ ବନ୍ଧରେ ତାଙ୍କ ଶରୀରରେ କିରୋସିନ ଢାଳି ନିଆଁ ଲଗାଇ ଦିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵର ଏମସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ରହିବାରୁ ୨୦ ତାରିଖ ଦିନ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଥିଲା। ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା।
ଚିକିତ୍ସା ଜାରି ରହିବା ସହିତ ତାଙ୍କ ଶରୀରରେ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ୩ ଥର ଅପରେସନ କରାଯାଇ ସ୍କିନ ଗ୍ରାଫ୍ଟିଂ କରାଯାଇଥିଲା। ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ବେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ।
Powered by Froala Editor