ଚାକିରି କରାଇ ଦେବାକୁ କହି ୧୮ ଲକ୍ଷ ଟଙ୍କା ଠକେଇ, ଦୁଇ ଗିରଫ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଞ୍ଚଳରେ ଯୁବକ ଯୁବତୀଙ୍କୁ କଟକ ବଡ଼ ଡାକ୍ତରଖାନା (ଏସ୍ସିବି) ରେ କିରାଣି ସମେତ ବିଭିନ୍ନ ପଦରେ ଚାକିରି କରାଇ ଦେବାକୁ କହି ୨ ଯୁବକ ୧୮ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଗିରଫ କରିଛି। ଗିରଫ ଯୁବକଦ୍ୱୟ କଟକ ଜିଲା ନିଶ୍ଚିନ୍ତକୋଇଲି ପଶ୍ଚିମଖଣ୍ଡ ଅଞ୍ଚଳର ବିଭୂ ପ୍ରସାଦ ଓଝା ଓ ଭୁବନେଶ୍ୱର ବରମୁଣ୍ଡା ହାଉସିଂ କଲୋନୀର ସୌମ୍ୟରଞ୍ଜନ ନାୟକ। ଦୁହିଁଙ୍କ ଠାରୁ ନକଲି ନିଯୁକ୍ତିପତ୍ର ଜବତ କରାଯାଇଛି।
ଏ ନେଇ ଥାନାଧିକାରୀ ରାଜେନ୍ଦ୍ର ମହାପାତ୍ର କହିଛନ୍ତି, ଅଭିଯୁକ୍ତଦ୍ୱୟଙ୍କୁ ଗିରଫ କରିବା ପାଇଁ କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଦଳ ଗଠନ କରାଯାଇଥିଲା। ଏହି ଦଳ କଟକ ଓ ଭୁବନେଶ୍ୱରରେ ଚଢ଼ଉ କରି ଦୁଇ ଠକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନକଲି ପ୍ରମାଣପତ୍ର, ପରିଚୟପତ୍ର ଜବତ କରାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ଅଭିଯୁକ୍ତଦ୍ୱୟଙ୍କୁ ଜିମାରେ ଆଣି ଅଧିକ ପଚରାଉଚରା କରାଯିବ।
Powered by Froala Editor