ନୂଆମୋଡ଼ ନେଲା ବଳଙ୍ଗା ଘଟଣା: ପରିବାର ଓ ସମ୍ପର୍କୀୟଙ୍କ ଉପରେ ପୁଲିସର ସନ୍ଦେହ
ଭୁବନେଶ୍ବର: ବଳଙ୍ଗା ନାବାଳିକାଙ୍କ ପୋଡ଼ିଯିବା ଘଟଣା ନୂଆମୋଡ଼ ନେଇଛି। ଏବେ ପରିବାର ଓ ସମ୍ପର୍କୀୟଙ୍କ ଉପରେ ପୁଲିସର ସନ୍ଦେହ ବଢ଼ିଛି। ଗତିବିଧି ଜାଣିବା ପାଇଁ ପୁଲିସ ସେମାନଙ୍କୁ ସ୍କାନରରେ ରଖିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ପୀଡ଼ିତା ସୁସ୍ଥ ହେବା ପରେ ତାଙ୍କ ବୟାନ ପୁଣି ନେବା ଲାଗି ପୁଲିସ ଯୋଜନା କରିଛି। ପୀଡ଼ିତାଙ୍କ ବୟାନ ପରେ ହିଁ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଅନୁଭବ କରୁଛି।
ଜଟଣୀ ଥାନା ଅଞ୍ଚଳରେ ବଳଙ୍ଗା ଥାନା ପୁଲିସ ପହଞ୍ଚି ଶନିବାର ତନାଘନା କରିଛି। ପୀଡ଼ିତାଙ୍କ ସମ୍ପର୍କୀୟଙ୍କୁ ପୁଲିସ ଜେରା କରି ଫେରିଛି। ରାଜ୍ୟ ଓ ଜିଲା ସାଇଣ୍ଟିଫିକ ଦଳ ଘଟଣାସ୍ଥଳରେ ପହଞ୍ଚି ଦ୍ବିତୀୟ ଥର ନମୁନା ସଂଗ୍ରହ କରିଛନ୍ତି। ଅଦାଲତଙ୍କ ଅନୁମତି ପରେ ସଂଗୃହୀତ ନମୁନାକୁ ନେଇ ସାଇଣ୍ଟିଫିକ ଦଳ ପରୀକ୍ଷାନିରୀକ୍ଷା କରିବ ବୋଲି ଜଣାପଡ଼ିଛି। ସମସ୍ତ ପ୍ରମାଣ ହସ୍ତଗତ ହେବା ପରେ ପୁଲିସ ଘଟଣା ଉପରୁ ପରଦା ହଟାଇବ ବୋଲି ଜଣାପଡ଼ିଛି।
ବଜାରରେ କିରାସିନି ମିଳିବା କଷ୍ଟକର। ତାହା ପୁଣି ପେଟ୍ରୋଲ ଓ ଡିଜେଲ ଠାରୁ ଅଧିକ ମୂଲ୍ୟରେ କିଣିବାକୁ ପଡ଼ୁଛି। ପୀଡ଼ିତାଙ୍କ ଶରୀରରେ କିରାସିନି ଢ଼ାଳି ନିଆଁ ଲାଗିଯାଇଥିବା ସ୍ପଷ୍ଟ ହୋଇଥିଲା। ପୁଲିସ ଘଟଣାସ୍ଥଳରୁ ଦୁଇଟି ବୋତଲ ଜବତ କରିଥିଲା। ଦିଆଶିଲି, ଏକ ବ୍ୟାଗ୍ ଓ ଚକୋଲେଟ ମଧ୍ୟ ପୁଲିସ ପାଇଥିଲା। ଦୁର୍ବୃତ୍ତ କିରାସିନି ଆଣିଲେ କେଉଁଠୁ, ତାହା ତଦନ୍ତ ସାପେକ୍ଷ। କିରାସିନି ନିର୍ଦିଷ୍ଟ ସ୍ଥାନରେ ମିଳିଥାଏ; କିନ୍ତୁ ପୀଡ଼ିତାଙ୍କ ବାପାଙ୍କର ଏକ ଗାଡ଼ି ଗ୍ୟାରେଜ ରହିଛି। ଗାଡ଼ି କାମ ପାଇଁ ତାଙ୍କ ବାପା ଘରେ ସବୁ ସମୟରେ କିରାସିନି ସଂଗ୍ରହ କରି ରଖିଥାନ୍ତି ବୋଲି ତଦନ୍ତକାରୀ ଦଳ ଜାଣିବାକୁ ପାଇଛି। କିରାସିନି କେଉଁଠୁ ଆସିଲା, କିଏ ଆଣିଥିଲା, ଏଥିରେ କାହାର ସମ୍ପୃକ୍ତି ରହିଛି, ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ପରିବାର ଓ ସମ୍ପର୍କୀୟ ଲୋକଙ୍କୁ ଶନିବାର ପୁଲିସ ପଚରାଉଚରା କରିଥିବା ଜଣାପଡ଼ିଛି।
ପୁରୀ ହେଡ କ୍ୱାର୍ଟର ଏସଡିପିଓଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ଜଣେ ସମ୍ପର୍କୀୟ ପିଉସୀ, ବାନ୍ଧବୀ, ଗାଁର ଜଣେ ଯୁବକ ଓ ଅନ୍ୟ ଜଣେ ମହିଳାଙ୍କୁ ଶନିବାର ସନ୍ଧ୍ୟାରେ ନିମାପଡ଼ା ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥିତ କରାଯାଇ ସେମାନଙ୍କ ବୟାନ ରେକର୍ଡ କରାଯାଇଛି। ଏହି ଘଟଣାର ପୁରୀ ଏସପି ପୀନାକ ମିଶ୍ର ସାକ୍ଷୀ ଭାବେ ଉପରୋକ୍ତ ୪ ଜଣଙ୍କୁ ପଚରାଉଚରା କରିଥିଲେ। ପରେ ସେମାନଙ୍କୁ ନିମାପଡ଼ା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ଘଟଣା ଦିନ ସକାଳ ପ୍ରାୟ ୮ଟାରେ ଭାର୍ଗବୀନଦୀ ତେରହଳ ଗ୍ରାମ ନିକଟରେ ପୀଡ଼ତାଙ୍କୁ କେହି ଦୁର୍ବୃତ୍ତ ପୋଡ଼ି ହତ୍ୟା ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଥିଲା। ନୂଆଁଗୋପାଳ ବସ୍ତି ତଥା ନିଜ ଘର ନିକଟରେ ଦୁର୍ବୃତ୍ତ ଅପହରଣ କରି ନେଇ ଏପରି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଥିଲା। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ଘର ଠାରୁ ଘଟଣାସ୍ଥଳ ପର୍ଯ୍ୟନ୍ତ ଲାଗିଥିବା ସିସି କ୍ୟାମେରାକୁ ପୁଲିସ ଯାଞ୍ଚ କରିଥିଲା। ଏହି ସମୟରେ ପୀଡ଼ିତାଙ୍କୁ କେହି ଦୁର୍ବୃତ୍ତ ସେହି ରାସ୍ତାରେ ଅପହରଣ କରିବାର କୌଣସି ପ୍ରମାଣ ପୁଲିସ ପାଇନଥିଲା। ଖୁବ୍ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ପୁଲିସ ତରଫରୁ କୁହାଯାଇଛି।
Powered by Froala Editor