ନବୀନ ନିବାସରେ ପାଣ୍ଡିଆନ, ବିଜେଡି ନେତା କଲେ ସ୍ୱାଗତ
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ମୁମ୍ବାଇରୁ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ଆଜି ଓଡ଼ିଶା ଫେରିବା ପରେ ତାଙ୍କୁ ଦେଖା କରିବାକୁ ନବୀନ ନିବାସରେ ପ୍ରବଳ ଶୁଭେଚ୍ଛୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହା ଭିତରେ ଆଉ ଏକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । କାର୍ତ୍ତିକ ପାଣ୍ଡିଆନ ଦଳରେ ନଥିଲେ ମଧ୍ୟ ନବୀନ ଆସିବା ପରେ ପାଣ୍ଡିଆନ ନବୀନ ନିବାସରେ ପହଞ୍ଚିଥିବା ଦେଖାଯାଇଛି। ସେଠାରେ ଉପସ୍ଥିତ ନେତା କର୍ମୀ ତାଙ୍କୁ ସ୍ବାଗତ ମଧ୍ୟ କରିଛନ୍ତି।
ସର୍ଭାଇକାଲ ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ଗତ ଜୁନ୍ ୨୨ରେ ନବୀନ ମୁମ୍ୱାଇ ଯାଇଥିଲେ। କୋକିଳା ବେନ ଧୀରୁଭାଇ ଅମ୍ୱାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା । ପରେ ଡିସଚାର୍ଜ ହୋଇ ମୁମ୍ୱାଇଲେ ଥିଲେ ନବୀନ।
ଅନ୍ୟପକ୍ଷରେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଦେଖିବା ପରେ ରାଜ୍ୟ ରାଜନୀତି ମହଲରେ ଜୋରଦାର୍ ଚର୍ଚ୍ଚା ଚାଲିଛି। ତାଙ୍କୁ ସାମ୍ବାଦିକମାନେ ଅନେକ ପ୍ରଶ୍ନ ପଚାରୁଥିଲେ ମଧ୍ୟ ସେ କିଛି ନ କହି ଖାଲି ସ୍ମିତ ହାସ୍ୟଟିଏ ହସି ଦେଇ ପ୍ରବେଶ କରୁଛନ୍ତି । ଭିତରେ ପାଣ୍ଡିଆନଙ୍କ ପଛେ ପଛେ ବିଜେଡିର ବରିଷ୍ଠ ନେତା ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ବି ଦେଖିବାକୁ ମିଳିଛି । ପାଣ୍ଡିଆନ ପ୍ରତାପଙ୍କ ପିଠି ଉପରେ ହାତ ଥାପୁଡ଼େଇ କିଛି କହିଦେଇ ଚାଲିଯାଉଥିବାର ନଜର ଆସିଛନ୍ତି ।
Powered by Froala Editor