ସଡ଼କ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ ମିଳିବ ୨୫ ହଜାର ଟଙ୍କା ଆର୍ଥିକ ପୁରସ୍କାର
ଭୁବନେଶ୍ୱର : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲେ ୨ ହଜାର ଟଙ୍କା ବଦଳରେ ୨୫ ହଜାର ଟଙ୍କା ଆର୍ଥିକ ପୁରସ୍କାର ମିଳିବ। ଏହି କାର୍ଯ୍ୟ କରୁଥିବା ଦାୟିତ୍ବ ସମ୍ପନ୍ନ ନାଗରିକଙ୍କୁ ଏଣିକି ‘ରାହା ବୀର’ କୁହାଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକା ଅନୁସରଣ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସବୁ ଜିଲାର ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। ଏହି ମର୍ମରେ ପରିବହନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ଜିଲାପାଳମାନଙ୍କୁ ପତ୍ର ଲେଖି ଏହା ଜଣାଇଛନ୍ତି।
ଦୁର୍ଘଟଣାର ପ୍ରଥମ ଏକ ଘଣ୍ଟା ଅର୍ଥାତ ଗୋଲ୍ଡେନ ଆୱାର ମଧ୍ୟରେ ଗୁରୁତର ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲେ ତାଙ୍କ ଜୀବନ ରକ୍ଷା ସମ୍ଭାବନା େଢର ଅଧିକ ଥାଏ। ଜନସାଧାରଣଙ୍କୁ ଉତ୍ସାହିତ କରିବା ଲାଗି ସରକାର ଗୁଡ୍ ସାମାରିଟାନ୍ ନୀତି ପ୍ରଣୟନ କରିଛନ୍ତି। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ସେମାନଙ୍କୁ ରାହା ବୀର ଭାବେ ସମ୍ବୋଧନ କରାଯିବ। ପୂର୍ବରୁ ଆରଟିଓଙ୍କ ଜରିଆରେ ଉଦ୍ଧାର କରିଥିବା ନାଗରିକଙ୍କୁ ମାତ୍ର ୨ ହଜାର ଟଙ୍କା ଓ ପ୍ରମାଣ ପତ୍ର ମିଳୁଥିବା ବେଳେ ଏବେ ତାହା ୨୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି। ଯଦି ଏକାଧିକ ବ୍ୟକ୍ତି ଗୁରୁତର ଆହତଙ୍କୁ ଉଦ୍ଧାର କରିଥାନ୍ତି ତା ହେଲେ ଏହି ଅର୍ଥ ରାଶି ସେମାନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ। ଉଦ୍ଧାର କରିଥିବା ବ୍ୟକ୍ତିଙ୍କ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ପୂର୍ବରୁ ଜିଲାସ୍ତରରେ ଏକ କମିଟି ଥିବା ବେଳେ ଏବେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ୍-କମିଟି ଗଠନ କରାଯାଇଛି। ଉଦ୍ଧାରକାରୀଙ୍କ ତଥ୍ୟ ପୋର୍ଟାଲରେ ଅପଲୋଡ ହେବାର ୭ ଦିନ ମଧ୍ୟରେ ପୁରସ୍କାର ରାଶି ପ୍ରଦାନ କରାଯିବ। ଏହାବ୍ୟତୀତ ଜାତୀୟସ୍ତରରେ ୧୦ ଜଣ ରାହା ବୀରଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।
Powered by Froala Editor