ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପ୍ରଦାନ ସେବା ପୁଣି ଥରେ ଆରମ୍ଭ
ଭୁବନେଶ୍ବର: ପୁଣି ଥରେ ଆରମ୍ଭ ହେବ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପ୍ରଦାନ। କିନ୍ତୁ ଯେଉଁ ହିତାଧିକାରୀ ଏଥିପାଇଁ ସମ୍ମତି ପ୍ରକାଶ କରିବେ ସେମାନଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ। ହିତାଧିକାରୀ ଏକ ଫର୍ମ ମାଧ୍ୟମରେ ନିଜ ସମ୍ମତି ଜଣାଇବେ। ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ ସମସ୍ତ ଜିଲା ସାମାଜିକ ସୁରକ୍ଷା ଅଧିକାରୀ (ଡିଏସ୍ଏସ୍ଓ)ଙ୍କୁ ପତ୍ର ଲେଖି ଫର୍ମ ମାଧ୍ୟମରେ ହିତାଧିକାରୀଙ୍କଠାରୁ ସେମାନଙ୍କ ସମ୍ମତି ଆଣିବା ପାଇଁ ନିର୍ଦେଶ ଦେଇଛନ୍ତି। ଓଡ଼ିଶାରେ ସାମାଜିକ ସୁରକ୍ଷା ଯୋଜନାରେ ପେନ୍ସନଭୋଗୀଙ୍କୁ
ଡିବିଟି ବ୍ୟବସ୍ଥା ଅନୁସାରେ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଭତ୍ତା ପ୍ରଦାନ କରାଯାଉଥିଲା। ଅନେକ ହିତାଧିକାରୀ ବ୍ୟାଙ୍କରୁ ଟଙ୍କା ଉଠାଇବାରେ ଅସମର୍ଥ ହେବାରୁ ୨୦୨୩ ମେ’ ମାସରୁ ଡିବିଟି ବ୍ୟବସ୍ଥା ବନ୍ଦ କରି ପୁରୁଣା ପଦ୍ଧତିରେ ଅର୍ଥାତ ହାତରେ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ପେନସନ ନେବା ପାଇଁ ଅନେକ ହିତାଧିକାରୀ ବଣ୍ଟନ ସ୍ଥଳକୁ ଯାଇପାରୁ ନାହାନ୍ତି। କିଛି ବୃଦ୍ଧ/ବୃଦ୍ଧା, ଦିବ୍ୟାଙ୍ଗ ଅତି ଦୟନୀୟ ଅବସ୍ଥାରେ ଭତ୍ତା ଆଣିବାକୁ ଯାଉଥିବା ଫଟୋ, ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଲା। ଫଳରେ ଯିବା ଆସିବା କରିବାକୁ ଅସମର୍ଥ ହିତାଧିକାରୀଙ୍କ ଘରେ ପେନସନ ପହଞ୍ଚାଇବା ପାଇଁ ନିର୍ଦେଶ ଦିଆଯାଇଛି। ହେଲେ ଏଥିରେ ବି ବ୍ୟତିକ୍ରମ ଦେଖା ଦେଉଛି। ଏପରିସ୍ଥଳେ ଇଚ୍ଛୁକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟରେ ଭତ୍ତା ପ୍ରଦାନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ବିଭାଗ ପକ୍ଷରୁ ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ ବର୍ଗର ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଉଛି।
Powered by Froala Editor