ହଇଜା ଚିହ୍ନଟ ପରେ ଚିନ୍ତାରେ ପ୍ରଶାସନ, ଝାଡ଼ାବାନ୍ତି ଦ୍ବୈତନଗରୀ ମୁହାଁ

ଭୁବନେଶ୍ବର: ଯାଜପୁରରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଚେଷ୍ଟା ଜାରି ରହିଛି। ତେବେ ହଇଜା ଚିହ୍ନଟ ପରେ ଚିନ୍ତାରେ ରହିଛି ପ୍ରଶାସନ। ଏବେବି ବିଭିନ୍ନ ହସ୍ପିଟାଲରେ ପାଖାପାଖି ୨୦୦ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏହାର ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ପରିପ୍ରେକ୍ଷୀରେ କେନ୍ଦ୍ରରୁ ୧୪ ଜଣିଆ ଟିମ ଆସୁଛନ୍ତି। ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିବେ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି। ଏହି ଟିମରେ ଆଇସିଏମ୍ଆର, ଏନସିଡିସି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ଖାଦ୍ୟ ନିରାପତ୍ତା ବିଭାଗର ସଦସ୍ୟ ଅଛନ୍ତି। ସେହିପରି ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ସ୍ବାସ୍ଥ୍ୟ ନିର୍ଦେଶକ ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ବିଶେଷଜ୍ଞ ଦଳ ଯାଜପୁର ଯାଇ ସ୍ଥିତି ତଦାରଖ କରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲାରେ ଝାଡ଼ାବାନ୍ତି ବ୍ୟାପିଥିବାବେଳେ ଏବେ ଦ୍ବୈତନଗରୀର କିଛି ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ନେଇ ପ୍ରଶାସନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି।
Powered by Froala Editor