ଯାଜପୁରରେ ମହାମାରୀର ରୂପ ନେଲାଣି ଝାଡ଼ାବାନ୍ତି, ୧୦ ମୃତ

ଯାଜପୁର : ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଯାହାକି ବର୍ତ୍ତମାନ ମହାମାରୀର ରୂପ ନେଲାଣି। ବିଶେଷକରି ଯାଜପୁର ଜିଲାର ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଗତକାଲି ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ନିମନ୍ତେ ଯାଜପୁର ବ୍ଲକ ଖଇରାବାଦ ପଞ୍ଚାୟତ ହଜାରି ସାହି ଗ୍ରାମର ଅନିଲ ସିଂ(୪୭)ଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର ଚିକିତ୍ସିତ ଅବସ୍ଥାରେ ଦଶରଥପୁର ବ୍ଲକ ଚିତାଳୋ ପଞ୍ଚାୟତ ଝାଡ଼ଗାଁ ଗ୍ରାମର ପବିତ୍ରା ଦାଶ(୪୫) ଓ ଯାଜପୁର ବ୍ଲକ ଭୁଇଁପୁର ପଞ୍ଚାୟତ ମଲପଡ଼ା ଗ୍ରାମର ସେବତୀ ଘଡ଼େଇ (୭୫)ଙ୍କ ମୃତ୍ୟୁ ଘଟିଛି। ସରକାରୀ ଭାବେ ୫ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦିଆଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ୧୦ ଛୁଇଁଛି। ଏବେ ବି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ୧୧୧ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ୩୭ଜଣ ନୂତନ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ
ସ୍ୱାସ୍ଥ୍ୟ ସଚିବ ଏସ୍. ଆଶ୍ୱସ୍ଥି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ େଯ ଜିଲାରେ ୨୮୫ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ୧୦ଜଣ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁବାର ଏ ନେଇ ଜିଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ଏସ୍ ଆଶ୍ୱସ୍ଥି ସୂଚନା ଦେଇଥିଲେ। ପ୍ରକୃତ ପକ୍ଷେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ଘଟୁଥିବା ବେଳେ ବିଭିନ୍ନ ବ୍ଲକକୁ ବ୍ୟାପିବାରେ ଲାଗିଛି। ଏପରିକି ଦଶରଥପୁର ବ୍ଲକକୁ ବ୍ୟାପିଥିବା ନେଇ ସୂଚନା ମିଳିଛି। ପୂର୍ବରୁ ଯେଉଁ ରୋଗୀ ଚିକିତ୍ସିତ ହେଉଥିଲେ କେତେକ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଅନ୍ୟ କେତେକ ନୂତନ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ମେଡ଼ିକାଲକୁ ଆସୁଛନ୍ତି। ଗୁରୁବାର ଝାଡ଼ାବାନ୍ତିର କାରଣ ନିମନ୍ତେ ଏକ ବିଶେଷଜ୍ଞ ଦଳ ଯାଜପୁର ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ। ଏହି ଦଳରେ ଆଇଡିଏଫ୍ ଯୁଗ୍ମ ନିର୍ଦେଶକଙ୍କ ନେତୃତ୍ୱରେ ଡବ୍ଲ୍ୟୁଏଚ୍ଓ (ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ)ର ପ୍ରତିନିଧି ଦଳ, ଆଇସିଏମ୍ଆରର ପ୍ରତିନିଧି, ଭାରତ ସରକାରଙ୍କ ଆଞ୍ଚଳିକ ନିର୍ଦେଶକ ପ୍ରତିନିଧି ଦଳ ଦୁଇଦିନ ଯାଜପୁରରେ ରହି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଝାଡ଼ାବାନ୍ତିର କାରଣ ସମ୍ପର୍କରେ ଖୋଜିବେ ବୋଲି ସୂଚନା ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ ଓ ଅନ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲାରେ ଅଣାୟତ୍ତ ହେଉଥିବା ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡା. ପ୍ରକାଶ ବଳଙ୍କୁ ହଟାଇ ତାଙ୍କ ସ୍ଥାନରେ ରାଜ୍ୟ ସରକାର ଡା. ବିଜୟ କୁମାର ମିଶ୍ରଙ୍କୁ ଅବସ୍ଥାପିତ କରିଛନ୍ତି। ଗୁରୁବାର ସକାଳୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡା. ବିଜୟ କୁମାର ମିଶ୍ର କାର୍ଯ୍ୟରେ ଯୋଗ ଦାନ କରିବା ସହ ଝାଡ଼ା ବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ତଦାରଖ କରୁଛନ୍ତି।
ସ୍ୱାସ୍ଥ୍ୟ ସଚିବ ଝାଡ଼ାବାନ୍ତିକୁ କିପରି ଆୟତ୍ତ କରାଯିବ ସେ ସମ୍ପର୍କରେ ଜିଲା ଅଧିକାରୀଙ୍କ ବିସ୍ତୃତ ଆଲୋଚନା କରିଥିଲେ। ଆଲୋଚନାରେ ଜିଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ମିଶ୍ର, ଡା. ପ୍ରକାଶ ଚନ୍ଦ୍ର ବଳ, ଅତିରିକ୍ତ ଜିଲାପାଳ ସମେତ ଯଯାତି କେଶରୀ ମେଡ଼ିକାଲ କଲେଜର ଅଧ୍ୟକ୍ଷ ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।
Powered by Froala Editor