ଦ୍ବିତୀୟ ଥର ମା ହେଲା ବାଘୁଣୀ ମୌସୁମୀ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦ୍ବିତୀୟ ଥର ପାଇଁ ମାଆ ହେଲା ବାଘୁଣୀ ମୌସୁମୀ । ଧଳା ବାଘୁଣୀ ମୌସୁମୀ ଜନ୍ମ ଦେଲା ୨ ଶାବକ । ଯାହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।
ଜୁନ୍ ୭ ତାରିଖ ରାତି ୯ଟା ୧୫ ମିନିଟରେ ଚିଡିଆଖାନାର ଖୁଆଡ ନମ୍ବର ‘୨୮-ବି’ରେ ସେ ଏହି ଦୁଇ ଛୁଆଙ୍କୁ ଜନ୍ମ ଦେଇଛି। ଖୁଆଡରେ ଲାଗିଥିବା ସିସିଟିଭି ମାଧ୍ୟମରେ ତା’ ଉପରେ ନଜର ରଖାଯାଇଛି। ବାଘୁଣୀ ମୌସୁମୀ ଛୁଆମାନଙ୍କର ଯତ୍ନ ନେବା ସହିତ କ୍ଷୀର ପାନ କରଉଥିବା ଦେଖିବାକୁ ମିଳିଛି।
ଜନ୍ମ ହୋଇଥିବା ଦୁଇ ବାଘ ଛୁଆ ଦୁଇଟି ଏବେ ମା’ ପାଖରେ ଥିବାରୁ ସେମାନଙ୍କର ଲିଙ୍ଗ ଜଣା ପଡିନାହିଁ। ଧଳା ବାଘ ମୌସୁମୀ ଓ ସାଧାରଣ ରଙ୍ଗର ମହାବଳ ବାଘ ରାଜେଶର ମିଳନରେ ଏହି ଦୁଇ ଛୁଆ ଜନ୍ମ ହୋଇଛନ୍ତି। ଏହି ଦୁଇ ବାଘ ପୂର୍ବରୁ ମଧ୍ୟ ପିତା ମାତା ହୋଇସାରିଛନ୍ତି। ଏମାନେ ପୂର୍ବରୁ ୪ଟି ସନ୍ତାନ ଜନ୍ମ କରିସାରିଛନ୍ତି।
2024ରେ ମୌସୁମୀ ପ୍ରଥମ ଥର ମାଆ ହୋଇଥିଲା। ତିନୋଟି ଶାବକ ଜନ୍ମ ଦେଇଥିଲା। ତେବେ ସେମାନଙ୍କର ଠିକ ଭାବରେ ଯତ୍ନ ନେଇ ନପାରିବାରୁ ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ଶନିବାର ପୁଣି ଧଳା ବାଘୁଣୀ ମୌସୁମୀ ଦ୍ବିତୀୟ ଥର ମାଆ ହୋଇଛି। ଦୁଇଟି ଶବକ ସୁସ୍ଥ ଥିବା ଜଣାପଡିଛି। ନନ୍ଦନକାନନ କର୍ତ୍ତୃପକ୍ଷ ସିସିଟିଭି ମାଧ୍ୟମରେ ନଜର ରଖିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଧଳା ବାଘୁଣୀ ସେହ୍ନା ଓ ମହାବଳ ବାଘ ମନୀସର ମିଳନରୁ ଧଳା ବାଘୁଣୀ ମୌସୁମୀ ଜନ୍ମ ହୋଇଥିଲା।
Powered by Froala Editor