ଚୋରା ବନ୍ଧୁକ ତିଆରି କାରଖାନା ଠାବ, ତିନି ଗିରଫ
ଦଶପଲ୍ଲା: ନୟାଗଡ ଜିଲା ଦଶପଲ୍ଲା ଥାନା ଡିହଗାଁ ପଞ୍ଚାୟତର ଦୁଆର ଗାଁ ରେ ଚୋରା ବନ୍ଧୁକ ତିଆରି କାରଖାନାକୁ ଠାବ କରିଛି ପୁଲିସ। ଦଶପଲ୍ଲା ପୁଲିସ ଖବର ପାଇ ଦ୍ୱାରଗାଁର ଡିହ ସାହି ରାଜେଶ କୁମାର ପ୍ରଧାନଙ୍କ ଘରେ ଚଢ଼ଉ କରି ଚୋରା ବନ୍ଧୁକ ୧ ପିସ୍ତଲ ଗୋଟିଏ ଏବଂ ବନ୍ଧୁକ ତିଆରି ସରଞ୍ଜାମ ଉଦ୍ଧାର କରିଥିଲେ। ରାଜେଶଙ୍କ ଠାରୁ ସୂଚନା ପାଇ ଅନ୍ୟ ଅଭିଯୁକ୍ତ ମଧ୍ୟଖଣ୍ଡର ବିଭୁତି ପରିଡା ଓ଼ ତାଙ୍କ ଭାଇ ତପନ ପରିଡାଙ୍କୁ ଗିରଫ କରାଯାଇଥିଲା। ମଧ୍ୟଖଣ୍ଡ ଗଡ଼ ଭିତର ସାହିର ଗୋବର୍ଦ୍ଧନ ପରିଡାଙ୍କ ଘରୁ ବନ୍ଧୁକ ତିଆରି ସାମଗ୍ରୀ ପୁଲିସ ଜବତ କରିଥିଲା। ହେଲେ ଅଭିଯୁକ୍ତ ବିଭୁତି ଫେରାର ଥିବା ଜିଲା ଅଧୀକ୍ଷିକା ଏସ୍. ସୁଶ୍ରୀ ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଏହି କାରଖାନାରେ ବନ୍ଧୁକ ନିର୍ମାଣ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାକୁ ବିକ୍ରି କରୁଥିଲେ। ଗିରଫ ତିନି ଜଣ ରାଜେଶ ତପନ ଓ଼ ଗୋବର୍ଦ୍ଧନ ପ୍ରମୁଖଙ୍କ ବିରୋଧରେ ଦଶପଲ୍ଲା ଥାନାରେ ମାମଲା ରୁଜୁ ହୋଇଛି। ଅନ୍ୟ ଫେରାର ଆସାମୀ ବିଭୁତିକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ପ୍ରକାଶ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲା ପୁଲିସ ଅଧୀକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଓ଼ ସନାତନ କାଲ ଏବଂ ଦଶପଲ୍ଲା ଥାନା ଅଧିକାରିଣୀ ଅନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
Powered by Froala Editor