ବିଜୟ ଶାହାଙ୍କ ବିବାଦୀୟ ବୟାନ, ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ଉପରେ ଏକ ବୟାନ ଦେଇ ବିବାଦରେ ଛନ୍ଦି ହୋଇଛନ୍ତି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। କୋର୍ଟ ବିଜୟ ଶାହାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ କରିବାକୁ ମଧ୍ୟପ୍ରଦେଶର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ବିଚାରପତି ଅତୁଲ ଶ୍ରୀଧରଙ୍କ ଡିଭିଜନ ବେଞ୍ଚ ଚାରି ଘଣ୍ଟା ମଧ୍ୟରେ ମନ୍ତ୍ରୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ସକାଳେ କରାଯିବ। ଏନେଇ କୋର୍ଟ ଆଡଭୋକେଟ ଜେନେରାଲ ପ୍ରଶାନ୍ତ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରେସ ବ୍ରିଫିଂ ସୋଫିଆ କରିଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ମନ୍ତ୍ରୀ। କର୍ଣ୍ଣେଲ ସୋଫିଆ ଜଣେ ଆତଙ୍କୀଙ୍କ ଭଉଣୀ ବୋଲି କହିଥିଲେ ବିଜୟ। ରାମକୁଣ୍ଡ ଗ୍ରାମରେ ଆୟୋଜିତ ଏକ ସଭାରେ ବିଜୟ ଏହି ବିବାଦୀୟ ବୟାନ ଦେଇଥିଲେ। ବିଜୟଙ୍କ ଏହି ବୟାନକୁ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଥିଲା। ବିବାଦୀୟ ବୟାନ ପାଇଁ ମନ୍ତ୍ରୀ ବିଜୟ ଶାହ କ୍ଷମା ମାଗିଛନ୍ତି। କିନ୍ତୁ ସମାଲୋଚନା ଥମିବାର ନାଁ ନେଉନାହିଁ। ଏହି ପ୍ରସଙ୍ଗରେ କଂଗ୍ରେସ ତୀବ୍ର ପ୍ରତିବାଦ କରୁଛି। ଏପରିକି ତାଙ୍କ ବିରୋଧରେ ଦେଶଦ୍ରୋହର ମାମଲା ରୁଜୁ ହେବା ଉଚିତ ବୋଲି କଂଗ୍ରେସ କହିଛି। ଏହି ପ୍ରସଙ୍ଗରେ ମଧ୍ଯପ୍ରଦେଶ ହାଇକୋର୍ଟ ନିଜ ଆଡୁ କରିଥିଲେ ମାମଲା ରୁଜୁ।
Powered by Froala Editor