ଶିକାର ପାଇଁ ଜନବସତି ମୁହାଁ କଳାବାଘ, ଲୋକେ ଆତଙ୍କିତ
ମୟୂରଭଞ୍ଜରେ ବୁଲୁଛି କଳାବାଘ । ଯାହାକୁ ନେଇ ଆତଙ୍କ ଦେଖାଦେଇଛି । କାରଣ ବାଘଟି ଏବେ ଜନବସତି ମୁହାଁ ହୋଇ ପଶୁପକ୍ଷୀଙ୍କୁ ଶିକାର କଲାଣି । କେତେବେଳେ ମଣିଷ ମାରିବ ତାହା କହିହେଉନି । ତେଣୁ ଲୋକମାନେ ଆତଙ୍କିତ ଭାବେ ରହିଛନ୍ତି ।
ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଓ ବଡ଼ଗାଁ ରେଂଜର ବ୍ରାହ୍ମଣ ଗାଁ ପଞ୍ଚାୟତ ବାଉଟିଆ, ଚାକିଡ଼ି ପଞ୍ଚାୟତ ବାରିବେଡ଼ା, ସୋରିଷପାଳ ପଞ୍ଚାୟତ ନେଦାମ, ଘଟିଡୁବା ଅଞ୍ଚଳରେ କଳାବାଘ ଆତଙ୍କ ଦୁଇ ମାସ ହେଲା ଦେଖାଯାଇଛି। ଦୁଇ ମାସ ମଧ୍ୟରେ ୫ଟି ଗାଈ, ୧୮ଟି ଛେଳି, ୩ଟି ଘୁଷୁରୀଙ୍କୁ ମାରିଦେବା ସହିତ ଗୋଟିଏ ମଇଁଷିକୁ ଆହତ କରି ସାରିଛି।
ଚାକିଡି ସରପଞ୍ଚ ବିକ୍ରମ ମୁର୍ମୁ ଓ ବ୍ରାହ୍ମଣ ଗାଁ ସରପଞ୍ଚ ପ୍ରଦୀପ କୁମାର ସୋରେନ ତୁରନ୍ତ ବାଘକୁ ଟ୍ରାଙ୍କୁଲାଇଜ କରି ଧରି ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ ଏସ୍ଟିଆଏଫ୍ଙ୍କୁ ଦାବି କରିଛନ୍ତି। ଏପଟେ ଗୃହପାଳିତ ପଶୁ ଯଥା ଗାଈ/ ମଈଷି ପାଇଁ ୩୭,୫୦୦, ବଳଦ ପାଇଁ ୩୨୦୦୦, ବାଛୁରୀ ପାଇଁ ୫୦୦୦, ମେଣ୍ଢା/ଛେଳି ପାଇଁ ୪୦୦୦, ମେଣ୍ଢା/ଛେଳି ଛୁଆ ପାଇଁ ୧୫୦୦ କ୍ଷତିପୂରଣ ବ୍ୟବସ୍ଥା ଅଛି ବୋଲି ରେଞ୍ଜର କହିଛନ୍ତି।
ତେବେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ବାଘ ଚିହ୍ନଟ ହୋଇ ନାହିଁ ବୋଲି କହିଛନ୍ତି। ବାଘଟି କଳାବାଘ ବୋଲି ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ ଆଶାବ୍ୟକ୍ତ କରିଛନ୍ତି।
Powered by Froala Editor