ଋତୁସ୍ରାବ ଯୋଗୁଁ ଛାତ୍ରୀଙ୍କୁ ବାହାରେ ବସାଇଦେଲେ

ତାମିଲନାଡୁରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। କୋଏମ୍ବାଟୁରରେ ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କ ମାସିକ ଋତୁସ୍ରାବ ହେଉଥିବାରୁ ତାଙ୍କୁ ଶ୍ରେଣୀଗୃହ ବାହାରେ ବିଜ୍ଞାନ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିବା ଜଣାପଡିଛି। ଏହି ଘଟଣା ସେଙ୍ଗୁଟ୍ଟାଇର ଏକ ଘରୋଇ ସ୍କୁଲରେ ଘଟିଛି।ପୀଡ଼ିତା ଛାତ୍ରୀ ଜଣକ ଶ୍ରେଣୀଗୃହ ବାହାରେ ଥିବା ସିଡ଼ିରେ ବସି ପରୀକ୍ଷା ଦେଇଛନ୍ତି।
ଭାଇରାଲ ହୋଇଥିବା ଏକ ଭିଡିଓରେ ପିଲାଟିର ମାଆ ତାଙ୍କ ପାଖକୁ ଦୌଡ଼ି ଆସି କ’ଣ ହୋଇଛି ବୋଲି ପଚାରୁଥିବା ଦେଖାଯାଇଛି। କ୍ଲିପରେ, ଛାତ୍ରୀ ଜଣକ ତାଙ୍କ ମାଆଙ୍କୁ କହୁଛନ୍ତି ଯେ ପ୍ରିନ୍ସିପାଲ୍ ତାଙ୍କୁ ବାହାରେ ବସାଇଥିଲେ।
ସ୍ପଷ୍ଟ ଭାବରେ ନାବାଳିକାଙ୍କର ମା’ ପ୍ରଶ୍ନ କରୁଥିବା ଶୁଣାଯାଉଛି ଯେ, ମାସିକ ଋତୁସ୍ରାବ ସମୟରେ ଜଣେ ଛାତ୍ରୀଙ୍କୁ କିପରି ବାହାରେ ବସାଇ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇପାରିବ।
ଝିଅଟିର ବାପା ଅଭିଯୋଗ କରିଥିଲେ ଯେ ତାଙ୍କ ଝିଅ ପରୀକ୍ଷା ପାଇଁ ସ୍କୁଲରେ ଥିବା ସମୟରେ ତାଙ୍କର ମାସିକ ଋତୁସ୍ରାବ ଆରମ୍ଭ ହୋଇଯାଇଥିଲା। ପ୍ରଧାନଶିକ୍ଷୟତ୍ରୀଙ୍କୁ ସାନିଟାରୀ ପ୍ୟାଡ୍ ମାଗିବା ପରେ, ତାଙ୍କୁ ଶ୍ରେଣୀଗୃହ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ଏବଂ ପ୍ରାୟ ଏକ ଘଣ୍ଟା ପାଇଁ ବାହାରେ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା।
ଭିଡିଓ ଭାଇରାଲ ହେବା ପରେ ଅଧିକାରୀମାନର ଏବଂ ସ୍କୁଲ ପ୍ରଶାସନର ନୀଦ ଭାଙ୍ଗିଛି। ବର୍ତ୍ତମାନ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କୁ ନିଲମ୍ବନ କରାଯାଇଛି। ଏହି ବିଦ୍ୟାଳୟର ନାମ ସ୍ୱାମୀ ଚିଦାନନ୍ଦ ହାୟର ସେକେଣ୍ଡାରୀ ସ୍କୁଲ।
Powered by Froala Editor