ନାଗାବଳୀ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ

ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଟ୍ରେନର ପଛପଟେ ଥିବା ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଏକ୍ସପ୍ରେସଟି ବିଜୟନଗରମ୍ ଷ୍ଟେସନ ଛାଡିବା ପରେ ପରେ ହିଁ ଦୁର୍ଘଟଣାର ଶିକାର ହୋଇଥିଲା । ଲାଇନଚ୍ୟୁତ ପରେ ପରେ ଘଟଣାସ୍ଥଳରେ ରେଲୱେ ଅଧିକାରୀମାନେ ପହଞ୍ଚି ତୁରନ୍ତ ଟ୍ରାକକୁ ସଜାଡିବା ପରେ ଟ୍ରେନ ପୁଣିଥରେ ଯାତ୍ରା ଆରମ୍ଭ କରିଥିଲା । ଯଦିଓ ଟ୍ରେନ ବିଳମ୍ବ ଯାତ୍ରା କରିଥିଲା ମାତ୍ରା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ରହିଛି ।
ଖବର ଅନୁସାରେ, ନାଗାବଳୀ ଏକ୍ସପ୍ରେସର ଶେଷରେ ଥିବା ଜେନେରାଲ୍ ବଗି ଲାଇନଚ୍ୟୁତ ହୋଇଛି । ବିଜୟନଗରମ ଷ୍ଟେସନ ପାଖରେ ୧୧ଟା ୪୦ ମିନିଟ୍ରେ ଲାଇନଚ୍ୟୁତ ହୋଇଥିବା ବେଳେ ବିଶେଷ କ୍ଷତିଗ୍ରସ୍ତ ହୋଇନାହିଁ । ଲାଇନଚ୍ୟୁତ ଶେଷ ବଗିକୁ ବାଦ୍ ଦେଇ ୧୨ଟା ୪୭ରେ ଗନ୍ତବ୍ୟ ସ୍ଥଳକୁ ଗଲା ଟ୍ରେନ । ତେବେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିବା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁଁ ।
ତେବେ କେଉଁ ପରିସ୍ଥିତିରେ ଲାଇନଚ୍ୟୁତ ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ତଦନ୍ତ ଜାରି ରହିଛି ।
ଗତ ମାର୍ଚ୍ଚ ୩୦ ତାରିଖରେ କଟକ ନିର୍ଗୁଣ୍ଡି ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଥିଲା । ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଥିଲେ । ଆଉ ପୁଣି ଏକ ଏକ୍ସପ୍ରେସ ଦୁର୍ଘଟଣା ହେବା ପରେ ଯାତ୍ରୀଙ୍କ ଭୟ ବଢିଯାଇଛି ।
Powered by Froala Editor