ବାଣ କାରଖାନାରେ ବିସ୍ଫୋରଣ, ୧୭ ମୃତ

ଗୁଜୁରାଟର ବନାସକାଣ୍ଠା ଜିଲ୍ଲାର ଦୀସା ସହର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଅଗ୍ନିକାଣ୍ଡ ଘଟି ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ କହିଛନ୍ତି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀ ସହିତ SDRF ଦଳ ଉଦ୍ଧାର ପାଇଁ ପହଞ୍ଚିଥିଲେ । କାରଖାନାଟି ଧୁନୱା ରୋଡରେ ଅବସ୍ଥିତ ବୋଲି କୁହାଯାଉଛି । ଦୁର୍ଘଟଣା ସକାଳ ପ୍ରାୟ ୯ଟା ସମୟରେ ଘଟିଥିଲା।
ଜିଲ୍ଲା କଲେକ୍ଟର ମିହିର ପଟେଲଙ୍କ ଅନୁଯାୟୀ, ଦିପକ ଟ୍ରେଡର୍ସରେ ଅଗ୍ନିକାଣ୍ଡ ଘଟି କାରଖାନାର ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ଯାହାଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା। ଦୀସା ପୌରପାଳିକାର ଅଗ୍ନିଶମ କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବଏଲର ବିସ୍ଫୋରଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ଅନେକ ଆହତ ଶ୍ରମିକଙ୍କୁ ବିଭିନ୍ନ ହସ୍ପିଟାଲକୁ ପଠାଯାଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ କାରଖାନାର ସ୍ଲାବ ଭୁଶୁଡ଼ି ପଡ଼ିଥିଲା।”
Powered by Froala Editor