ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଜାଣିବା ପରେ ଯୋଗ ଶିକ୍ଷକକୁ ଜୀଅନ୍ତା ପୋତିଦେଲା ସ୍ୱାମୀ

ହରିଆଣା ରୋହତକରେ ଜଣେ ଯୋଗ ଶିକ୍ଷକଙ୍କୁ ଜଣେ ବ୍ୟକ୍ତି ଜୀବନ୍ତ ପୋତି ଦେଇଥିବା ଜାଣିବାକୁ ମିଳିଛି। ଅଭିଯୋଗ ରହିଛି ଯେ ଯୋଗ ଶିକ୍ଷକ ଜଣକ ଅନ୍ୟ ଜଣଙ୍କ ପତ୍ନୀଙ୍କ ସହ ଅନୈତିକ ସଂପର୍କ ରଖିଥିଲେ।
ପୁଲିସ ସୂଚନା ଅନୁସାରେ, ଜଗଦୀପ ନାମକ ଜଣେ ଯୋଗ ଶିକ୍ଷକ ନିଖୋଜ ଥିବା ନେଇ ଗତ ଜାନୁୟାରୀରେ ଶିବାଜୀ କଲୋନୀ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ ଜଗଦୀପଙ୍କୁ ଅପହରଣ କରାଯାଇ ଜୀବନ୍ତ ପୋତି ଦିଆଯାଇଥିଲା। ଏହି ଘଟଣାରେ ହରଦୀପ ଏବଂ ଧରମପାଲ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହା ପରେ ଘଟଣାସ୍ଥଳରୁ ଜଗଦୀପଙ୍କ ମୃତଦେହକୁ ଜବତ କରାଯାଇଛି। ଏହି ଘଟଣାରେ ଆଉ ଜଣେ କିମ୍ବା ଦୁଇଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।
ଜଗଦୀପ ରୋହତକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଯୋଗ ଶିକ୍ଷକ। ହରଦୀପ ପୁଲିସକୁ କହିଛି ଯେ, ଜଗଦୀପ ତାଙ୍କ ଘରେ ଭଡ଼ାରେ ରହୁଥିଲା। କିନ୍ତୁ ଜଗଦୀପ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପରକୀୟାପ୍ରୀତି ରହିଥିବା ସେ ଜାଣିବାକୁ ପାଇଥିଲେ। ତେଣୁ ଜଗଦୀପଙ୍କୁ ହତ୍ୟା ପାଇଁ ସେ ଯୋଜନା କରିଥିଲେ। ଚରଖି ଦାଦ୍ରି ଗ୍ରାମରେ ଏକ ୭ଫୁଟର ଗର୍ତ୍ତ ଖୋଳିବାକୁ ସେ କିଛି ଲୋକଙ୍କୁ ଟଭ୍କା ଦେଇଥିଲେ। ବୋରଓ୍ବେଲ ଖୋଳାଯିବ ବୋଲି ସେ ଲୋକମାନଙ୍କୁ କହିଥିଲେ। ଏହା ପରେ ଡିସେମ୍ବର ୨୪ରେ ହରଦୀପ ନିଜର କିଛି ସାଙ୍ଗମାନଙ୍କ ସହିତ ମିଶି ଜଗଦୀପଙ୍କୁ ଅପହରଣ କରିଥିଲେ। ତାଙ୍କ ହାତ, ଗୋଡ଼ ବାନ୍ଧିବା ସହିତ ମୁହଁକୁ ମଧ୍ୟ ସେଲୋଟେପ ଦ୍ଵାରା ବନ୍ଦ କରିଦେଇଥିଲେ। ପରେ ତାଙ୍କୁ ନିସ୍ତୁକ ମାଡ଼ ମାରି ଗର୍ତ୍ତରେ ପକାଇ ଜୀବନ୍ତ ପୋତି ଦେଇଥିଲେ।
ଅପରାଧର ତିନି ମାସ ପରେ ମାର୍ଚ ୨୪ ତାରିଖରେ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ଅପହରଣର ୧୦ ଦିନ ପରେ ଫେବ୍ରୁଆରି ୩ ତାରିଖରେ ଜଗଦୀପଙ୍କ ପାଇଁ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା। ପୁଲିସ ତିନି ମାସ ଧରି ତଦନ୍ତ ଜାରି ରଖିଥିଲା।
Powered by Froala Editor