ଜଙ୍ଘରେ ଜଗନ୍ନାଥଙ୍କ ଚିତା କାଟି ଫସିଲେ ବିଦେଶିନୀ

ଭୁବନେଶ୍ଵର : କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମସ୍ତେ ଆରାଧ୍ୟ ଭାବେ ପୂଜା କରି ଆସୁଥିବାବେଳେ ଜଣେ ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଚିତା କୁଟାଯିବା ଏବଂ ସାମାଜିକ ଗଣମାଧ୍ୟମରେ ଏହା ପ୍ରଘଟ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣାକୁ କିଛି ଜଗନ୍ନାଥ ପ୍ରେମୀ ତୀବ୍ର ବିରୋଧ କରିବା ସହ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି। ପୁଲିସ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଏହି ଖବର ଜଣାପଡ଼ିବା ପରେ ସୁବ୍ରତ କୁମାର ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାର ତଦନ୍ତ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ସହିଦନଗର ଅଞ୍ଚଳର ଏକ ଟାଟୁ ଆର୍ଟ ଦୋକାନ ପକ୍ଷରୁ ବିଦେଶିନୀଙ୍କ ଜଙ୍ଘରେ ଚିତା କୁଟାଯାଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଥିବା ବେଳେ ଏନେଇ ଅଧିକ ତଦନ୍ତ କରାଯାଉଛି।
Powered by Froala Editor