‘ମନ୍ନତ’ ଛାଡ଼ି ଭଡ଼ା ଘରେ ରହିବେ ବାଦ୍ଶାହ

ବଲିଉଡ ବାଦଶାହ ଶାହରୁଖ ଖାନ ଗତ ୨୫ ବର୍ଷ ଧରି ‘ମନ୍ନତ’ରେ ରହିଆସୁଛନ୍ତି। ‘ୟେସ ବସ୍’ ଚଳଚ୍ଚିତ୍ରର ଶୁଟିଂ ସମୟରେ ସେ ଏହି ବଙ୍ଗଳାକୁ ପସନ୍ଦ କରିବା ସହିତ ତାହାକୁ କିଣିଥିଲେ। ‘ମନ୍ନତ’ ବାହାରେ ପ୍ରତ୍ୟେହ ପ୍ରଶଂସକଙ୍କ ଭିଡ଼ ଜନ୍ମେ। ସମସ୍ତେ ତାଙ୍କର ଏକ ଝଲକ ପାଇବା ଲାଗି ଚାତକ ଭଳି ଘଣ୍ଟା ଘଣ୍ଟା ଯାଏ ଅପେକ୍ଷା କରି ରହିଥାନ୍ତି। ହେଲେ ଏବେ ଅଭିନେତାଙ୍କ ଠିକଣା ବଦଳିବାକୁ ଯାଉଛି। ଶାହାରୁଖ ପତ୍ନୀ ଗୌରୀ ଏବଂ ପିଲାମାନଙ୍କ ସହ ଭଡ଼ା ଘରେ ରହିବାକୁ ଯାଉଥିବା ଜଣାପଡ଼ିଛି।
ରିପୋର୍ଟ ଅନୁସାରେ, ଆସନ୍ତା ମେ ମାସରୁ ମନ୍ନତର ନବୀକରଣ କାର୍ଯ୍ୟ ଆରମ୍ଭ ହେବ। ଯେଉଁଥିପାଇଁ ଶାହରୁଖ କୋର୍ଟଙ୍କ ଅନୁମତି ନେଇଛନ୍ତି। ମନ୍ନତ ଏବଂ ଗ୍ରେଡ୍ ୩ ଐତିହ୍ୟ ଢାଞ୍ଚା। ଏଥିରେ ପରିବର୍ତ୍ତନ ପାଇଁ କୋର୍ଟଙ୍କ ଅନୁମତିର ଆବଶ୍ୟକତା ରହିଥିଲା। ଏବେ ଅନୁମତି ମିଳିବା ପରେ ଶାହରୁଖ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ଯୋଜନା କରିଛନ୍ତି। ସେ ବାନ୍ଦ୍ରାସ୍ଥିତ ପାଲି ହିଲ୍କୁ ସ୍ଥାନାନ୍ତର ହେଉଥିବା ଜଣାପଡ଼ିଛି। ଶାହାରୁଖ ଏବଂ ତାଙ୍କ ପରିବାର ପ୍ରାୟ ୨ ବର୍ଷ ଯାଏ ପାଲି ହିଲ୍ ରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି।
ଶାହାରୁଖ ରହିବାକୁ ଯାଉଥିବା ଆପାର୍ଟମେଣ୍ଟ ମନ୍ନତର ନିକଟରେ ରହିଛି। ଏହି ଘର ୪ ମହଲା ବିଶିଷ୍ଟ। ଏଠାରେ ସମସ୍ତ ପ୍ରକାର ବିଳାସମୟ ସୁବିଧା ରହିଛି। ଅଭିନେତାଙ୍କ ସହ ପରିବାର, ଷ୍ଟାଫ୍ ଏବଂ ସୁରକ୍ଷାକର୍ମୀମାନେ ସାଙ୍ଗରେ ରହିବେ। ଏହାର ଭଡ଼ା ପ୍ରାୟ ୨୪ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି।
Powered by Froala Editor