CJP ଆନ୍ଦୋଳନରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ : 'ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସାମ୍ବିଧାନିକ ଅଧିକାର'
କକରୋଚ ଜନତା ପାର୍ଟି (CJP) ର ବିକ୍ଷୋଭ ସମ୍ବନ୍ଧୀୟ ଆବେଦନଗୁଡ଼ିକ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ପ୍ରଧାନ ବିଚାରପତି (CJI) ସ୍ପଷ୍ଟ ଭାବରେ କହିଛନ୍ତି ଯେ ସମ୍ବିଧାନ ନାଗରିକମାନଙ୍କୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରିବାର ଅଧିକାର ଦେଇଥାଏ। ତେବେ ଅନେକ ସମୟରେ ଏପରି ବିକ୍ଷୋଭରେ କିଛି ଅଣନିମନ୍ତ୍ରିତ ଅସାମାଜିକ ତତ୍ତ୍ୱ ପଶିଆସନ୍ତି, ଯାହାଙ୍କର ମୂଳ ଲକ୍ଷ୍ୟ କେବଳ ପରିବେଶ ନଷ୍ଟ କରିବା।
ଗତ ୨୫ ତାରିଖ ବିହାର ସିୱାନ ଜିଲ୍ଲାରେ ଛାତ୍ର ସଂଗଠନ ପକ୍ଷରୁ ବିହାର ବନ୍ଦ ବେଳେ ମୁହାଁମୁହିଁ ହୋଇଥିଲେ ବିକ୍ଷୋଭକାରୀ-ପୋଲିସ। ଏତିକିବେଳେ ପ୍ରଦର୍ଶନକାରୀଙ୍କ ଉପରକୁ AK-47ରୁ ଫାୟାରିଂ କରିଥିଲେ ଜଣେ କନଷ୍ଟେବଲ। ଫାୟାରିଂ ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୁଳି କରିଥିବା କନଷ୍ଟେବଳଙ୍କୁ ସସପେଣ୍ଡ କରାଯାଇଛି। ତେବେ ସ୍ଥାନୀୟ ଏସପି କହିଛନ୍ତି, ଆନ୍ଦୋଳନ ବେଳେ ଜେପି ଛକରେ କିଛି ଅସାମାଜିକ ବ୍ୟକ୍ତିଙ୍କ ପକ୍ଷରୁ ପୋଲିସ ଉପରକୁ ପ୍ରଥମେ ଫାୟାରିଂ କରାଯାଇଥିଲା, ପରେ ପୋଲିସ ଗୁଳି ଚଳାଇଥିଲା।
ଆନ୍ଦୋଳନକାରୀଙ୍କ ଉପରେ AK-୪୭ରେ ପୋଲିସର ଫାୟାରିଂ ନେଇ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଥିଲେ ଆରଜେଡି ନେତା ମନୋଜ ଝା। ସମାନ ଭାବେ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ନେଇ ବି ହୋଇଥିଲା ଏକାଧିକ ଆବେଦନ। ଉଭୟ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଆନ୍ଦୋଳନ କିମ୍ବା ବିକ୍ଷୋଭ ବେଳେ ପୋଲିସ ପ୍ରଥମେ ଲାଠିଚାର୍ଜ କରିପାରିବନି।
ଛାତ୍ର, ପୋଲିସ କିମ୍ବା ବାହାର ଲୋକଙ୍କ ମଧ୍ୟରୁ କିଏ କ’ଣ କରିଛନ୍ତି ତାହା ସ୍ପଷ୍ଟ କରିବା ପାଇଁ ଏକ ନିରପେକ୍ଷ ଏବଂ ସ୍ୱାଧୀନ ତଦନ୍ତର ନିହାତି ଆବଶ୍ୟକତା ରହିଛି ବୋଲି ଆଦାଲତ ସ୍ୱୀକାର କରିଛନ୍ତି।
ଶୁଣାଣି ସମୟରେ ଛାତ୍ରମାନଙ୍କ ପକ୍ଷରୁ ପୋଲିସ ବିରୋଧରେ କେତେକ ଗମ୍ଭୀର ଅଭିଯୋଗ ଅଣାଯାଇଥିଲା। ଏହା ବ୍ୟତୀତ ଫେସିଆଲ ରେକଗନିସନ ସିଷ୍ଟମ (Facial Recognition) ଜରିଆରେ ବିକ୍ଷୋଭକାରୀଙ୍କୁ ହଇରାଣ ହରକତ କରିବା ବନ୍ଦ କରିବାକୁ ଦାବି କରାଯାଇଛି।
Powered by Froala Editor