କେନାଲ ସୁଡ଼ଙ୍ଗ ଭୁଶୁଡ଼ିଲା, ଫସିଛନ୍ତି ୮ ଶ୍ରମିକ

ତେଲେଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲ୍ଲାର ଡୋମାଲପେଣ୍ଟା ନିକଟରେ ଶ୍ରୀଶୈଲମ ବାମ କୂଳର କେନାଲ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୮ଜଣ ଏବେ ବି ମାଟି ତଳେ ଫସି ରହିଥିବା ଆଶଙ୍କା କରାଯାଉଛି।
ପ୍ରାୟ ୧୨ ଜଣ ଶ୍ରମିକ କୌଣସି ପ୍ରକାରେ ବାହାରି ଆସିବାକୁ ସକ୍ଷମ ହୋଇଥିବା ବେଳେ ୮ଜଣ ରହିଯାଇଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ୧୦ ମିଟର ପର୍ଯ୍ୟନ୍ତ ଟନେଲ ଭୁଶୁଡ଼ିଥିବା ବେଳେ ୨୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ କାଦୁଅ ମାଡ଼ିଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ରେଭାନ୍ଥ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି। ତାଙ୍କ ନିର୍ଦ୍ଦେଶ କ୍ରମେ ଜିଲାପାଳ, ଏସ୍ପି ଏବଂ ଜଳସେଚନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି।
ସୁଡ଼ଙ୍ଗ କାମ ମାତ୍ର ଚାରି ଦିନ ପୂର୍ବରୁ ଆରମ୍ଭ ହୋଇଥିଲା। ପୁଲିସ ଅଧୀକ୍ଷକ କହିଛନ୍ତି, ଜଳସେଚନ ପ୍ରକଳ୍ପରେ କାମ କରୁଥିବା କମ୍ପାନିର ଦୁଇଟି ଉଦ୍ଧାରକାରୀ ଦଳ ପରିସ୍ଥିତିର ଆକଳନ କରିବା ପାଇଁ ସୁଡଙ୍ଗ ଭିତରକୁ ଯାଇଛନ୍ତି।
ପୁଲିସ ଅଧୀକ୍ଷକ କହିଛନ୍ତି ଯେ ଆମ ପାଖରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନାହିଁ। ସ୍ଥାନଟି ସୁଡ଼ଙ୍ଗ ଭିତରେ ପ୍ରାୟ ୧୪ କିଲୋମିଟର ଦୂରରେ ଅବସ୍ଥିତ। ଉଦ୍ଧାରକାରୀ ଦଳ ସୁଡ଼ଙ୍ଗରୁ ବାହାରିବା ପରେ ହିଁ ଆମେ ପରିସ୍ଥିତିର ଗମ୍ଭୀରତା ଜାଣିପାରିବୁ।
Powered by Froala Editor