ଶଳାର ଜନ୍ମଦିନ ପାଳିବାକୁ ଯାଇଥିଲେ, ଫେରିଲା ମୃତ ଦେହ
ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଭାବି ଶ୍ବଶୁର ଘରେ ଶଳାର ଜନ୍ମଦିନ ପାଳିବାକୁ ଯାଇଥିଲେ ସଞ୍ଜୟ। ହେଲେ ଫେରିଲା ମୃତ ଦେହ। ଘଟଣାରୁ ପ୍ରକାଶ ଉସ୍ଥପଦା ଗ୍ରାମର ସଞ୍ଜୟ ନାୟକ(୨୩) ଲୁହାଗୁଡି ଗ୍ରାମର ରାଣୀ ପ୍ରଧାନ(୨୦) ଦୁଇ ଜଣ ପରସ୍ବରକୁ ଭଲ ପାଉଥିଲେ ହେଲେ ଝିଅ ଘର ପରିବାର ଏହି ଭଲ ପାଇବାକୁ ବିରୋଧ କରୁଥିଲେ। ପୁଅର ଦାଦା ସୁବାଷ ଚନ୍ଦ୍ର ନାୟକ ଝିଅ ଘରକୁ ଯାଇ ବିବାହ ପାଇଁ ପ୍ରସ୍ତାବ ପକାଇଥିଲେ। ବହୁ ବୁଝାସୁଝା ପରେ ଝିଅ ଘର ଲୋକେ ରାଜି ହୋଇଥିଲେ। ଗତ ୨୦ ତାରିଖରେ ଉଭୟ ପରିବାର ଗୋଟିଏ ସ୍ଥାନରେ ବସି ନିର୍ବନ୍ଧ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାରେ ସାରିଥିଲେ। ସେଥିରେ ପୁଅ ଘର ରୀତିନୀତି ଅନୁସାରେ ଝିଅକୁ ସୁନା ଗହଣା ,ଲୁଗା ପଟା ଦେବା ସହିତ ୩୦ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଖର୍ଚ୍ଚ କରିଥିଲେ। ଡିସେମ୍ବର ମାସରେ ବିବାହ ପାଇଁ ସ୍ଥିର ହୋଇଥିଲା। ହେଲେ ସବୁ ସ୍ୱପ୍ନ ରହିଗଲା ଅଧାରେ।
ଗତ ରବିବାର ଦିନ ଭାବି ଶ୍ୱଶୁର ଘରୁ ଡାକରା ଆସିଥିଲା ଶଳାର ଜନ୍ମ ଦିନ ପାଳନରେ ଯୋଗ ଦେବା ପାଇଁ। ସଞ୍ଜୟ ଗ୍ରାମରୁ ବାହାରି ଶ୍ବଶୁର ଘର ଲୁହାଗୁଡିରେ ପହଞ୍ଚି ଥିଲେ। ଠିକ ଠାକରେ ସରିଥିଲା ଜନ୍ମ ଦିନ ପାଳନ। ଭାବି ସ୍ତ୍ରୀ ରାଣୀ କହିବା ପ୍ରକାରେ ରାତିରେ କୌଣସି କଥାକୁ ନେଇ ସଞ୍ଜୟ ଓ ରାଣୀଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ପରେ ଦୁଇ ଜଣ ମିଶି ରାତ୍ର ଭୋଜନ ସାରି ଶୋଇ ଯାଇଥିଲେ। ସକାଳୁ ଉଠି ବାହରକୁ ଯାଇଥିଲେ ସଞ୍ଜୟ। ହେଲେ ଆଉ ଘରକୁ ଫେରିନଥିଲେ। କିଛି ସମୟ ପରେ କେହି ଜଣେ ଆସି ଖବର ଦେଲେ ତୁମ ଜ୍ବାଇଁ ପୁଅ ହାଇସ୍କୁଲ ନିକଟରେ ଗଛରେ ଚାଦର ଲଗାଇ ଝୁଲିଛି। ଏହା ଶୁଣିବା ପରେ ରାଣୀ ଓ ପରିବାର ଲୋକେ ସେଠି ପହଞ୍ଚି ସଞ୍ଜୟକୁ ଉଦ୍ଧାର କରି କମଳାପୁର ଗ୍ରାମ ନିକଟରେ ଥିବା ମେଡିକାଲକୁ ନେଇଥିଲେ କିନ୍ତୁ ସେଠି କେହି ନଥିବାରୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଖବର ସଞ୍ଜୟ ଘର ପରିବାର ଲୋକେ ଜାଣିବା ପରେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଥିଲେ। ସେହି ସମୟରେ ଝିଅ ଘର ଲୋକେ ଆସିଥିବା ଅଟୋରେ ଗ୍ରାମକୁ ଚାଲିଯାଉଥିବା ବେଳେ ପୁଅ ଘର ଲୋକେ ଅଟୋକୁ ଅଟକାଇଥିଲେ। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ବହୁ ଲୋକ ରୁଣ୍ଢ ହୋଇ ଭିଡ଼ ଜମାଇଥିଲେ।
Powered by Froala Editor