ପୁଣି ବେଆଇନ ପ୍ରବାସୀଙ୍କୁ ହାତକଡ଼ି ପିନ୍ଧାଇ ତଡ଼ିଲା ଆମେରିକା
ଆମେରିକା ଦ୍ୱିତୀୟ ପର୍ଯ୍ୟାୟରେ ବିଦା କରିଥିବା ୧୧୭ ଜଣ ବେଆଇନ ଭାରତୀୟ ପ୍ରବାସୀ ଆମେରିକା ସାମରିକ ବିମାନରେ ଆସି ପଞ୍ଜାବର ଅମୃତସର ବିମାନବନ୍ଦରରେ ପହଞ୍ଚିଛନ୍ତି। ପ୍ରଥମ ଥର ଭଳି ଏଥର ମଧ୍ୟ ପ୍ରବାସୀମାନଙ୍କ ହାତରେ ହ୍ୟାଣ୍ଡକଫ୍ ଏବଂ ଗୋଡ଼ରେ ବେଡ଼ି ପକାଇ ଅଣାଯାଇଥିବା ଅଭିଯୋଗ ହୋଇଛି। ଜଣେ ଶିଖ୍ ଯୁବକଙ୍କୁ ବିନା ପଗଡ଼ିରେ ଅଣାଯାଇଛି।
ଫେରିଥିବା ୧୧୭ ଯାତ୍ରୀଙ୍କ ମଧ୍ୟରୁ ୬୫ଜଣ ପଞ୍ଜାବର ହୋଇଥିବାବେଳେ ହରିୟାଣାରୁ ୩୩, ଗୁଜରାଟରୁ ୮, ଉତ୍ତରପ୍ରଦେଶରୁ ୩, ଗୋଆ, ମହାରାଷ୍ଟ୍ର, ରାଜସ୍ଥାନରୁ ୨ଜଣ ଲେଖାଏ ଏବଂ ହିମାଚଳପ୍ରଦେଶ ଓ ଜମ୍ମୁ-କଶ୍ମୀରରୁ ଜଣେ ଲେଖାଏ ଅଛନ୍ତି।
ଏହା ପୂର୍ବରୁ ବେଆଇନ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଗତ ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ଆସି ଭାରତର ଅମୃତସରରେ ଓହ୍ଲାଇଥିଲା । ଏହି ବିମାନରେ ୧୦୪ ଜଣ ପ୍ରବାସୀ ଥିଲେ । ତେବେ ଏହି ବିମାନରେ ଆସିଥିବା ବେଆଇନ ପ୍ରବାସୀମାନଙ୍କ ହାତରେ ହାତକଡ଼ି ପକାଇ ଅତ୍ୟନ୍ତ ଅମାନବୀୟ ଭାବେ ଭାରତ ଅଣାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ।
ବେଆଇନ ପ୍ରବାସୀଙ୍କୁ ଆମେରିକା ପ୍ରଶାସନ ବେଡ଼ି ପକାଇ ତଡ଼ୁଥିବାରୁ ଏହାକୁ ବିରୋଧୀ ଦଳଗୁଡ଼ିକ ନିନ୍ଦା କରିଛନ୍ତି। ଭାରତ ସରକାର ଆମେରିକା ନିକଟରେ ଏହାର ପ୍ରତିବାଦ ଜଣାଇବାକୁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ଦାବି କରିଛନ୍ତି।
Powered by Froala Editor