କଳାବାଘ ନା କଲରାପତରିଆ, କିଏ ମାରିଲାଣି ୧୦ ପଶୁ ?

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ବାଘ । କିଛି ଦିନ ମଧ୍ୟରେ ବାଙ୍ଗିରିପୋଷି ବ୍ଲକର ୪ଟି ସ୍ଥାନରୁ ୧୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପଶୁ ବାଘ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଶିମିଳିପାଳର ବିରଳ କଳା ବାଘ ବୋଲି କିଛି ଗ୍ରାମବାସୀ ଅଭିଯୋଗ କରୁଥିବା ବେଳେ କଲରାପତରିଆ ବାଘ ବୋଲି କହୁଛି ବନବିଭାଗ ।
ସୂଚନା ମୁତାବକ, ଗତ ୯ ତାରିଖ ସୋରିଷପାଳ ପଞ୍ଚାୟତ ଅନ୍ତର୍ଗତ ନେଦାମ ନିକଟସ୍ଥ ଜଙ୍ଗଲରେ ଜିତୁ ମାରାଣ୍ଡିଙ୍କ ଏକ ବଳଦକୁ ବାଘ ମାରି ଦେଇଥିବାବେଳେ ଦୁର୍ଗା ହାଁସଦାଙ୍କ ଏକ ମଇଁଷି ଓ ଘୁଷୁରିକୁ ଦରମରା କରି ଦେଇଥିଲା । ବାରିବେଡ଼ା ଗ୍ରାମର ଲାଛୁରାମ ମୁର୍ମୁ, କୁଶାଳ ମୁର୍ମୁ, ଦୁଲାରାମ ମୁର୍ମୁ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଯାଇଥିବାବେଳେ ସେଥି ମଧ୍ୟରୁ ନିଖୋଜ ଥିବା ୩ଟି ଗୋରୁଙ୍କ କ୍ଷତାକ୍ତ ମୃତଦେହ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।
ତେବେ ଆଖପାଖରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଥିଲା । କିଛି ଗ୍ରାମବାସୀ ଗୋରୁ ଚରାଇବାକୁ ଯାଇ ଜଙ୍ଗଲରେ କଳା ବାଘ ବୁଲୁଥିବା ଦେଖିଥିବା ମଧ୍ୟ ଦାବି କରିଛନ୍ତି । ବାଘ ଦେଖିବାକୁ ମିଳିଥିବା ଖବର ପାଇ ପିଠାବଟା ଉତ୍ତର ରେଞ୍ଜର ବଡ଼ଗାଁ ରେଞ୍ଜ ଅଧିକାରୀ ମନୋରଞ୍ଜନ ନାଏକ, ଫରେଷ୍ଟର ସଂଜୟ କୁମାର ସେଠୀ ଓ ଅନ୍ୟ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିର୍କ ସ୍ଥାନ ତଦନ୍ତ କରିଥିଲେ ।
ମିଳିଥିବା ବାଘର ପାଦଚିହ୍ନ କଳା ବାଘ ନୁହେଁ ବରଂ ତାହା କଲରାପତରିଆ ବାଘର ପାଦଚିହ୍ନ ବୋଲି ରେଞ୍ଜ ଅଧିକାରୀ କହିଛନ୍ତି । ଅନ୍ୟପକ୍ଷେ ବନ ବିଭାଗ ମୃତ ଗୋରୁମାନଙ୍କର ଅବଶିଷ୍ଟାଂଶଗୁଡ଼ିକୁ ବ୍ୟବଚ୍ଛେଦ କରିବା ପରେ ଜଙ୍ଗଲରେ ପୋଡ଼ି ଦିଆ ଯାଇଥିବା ଜଣା ପଡିଛି ।
Powered by Froala Editor