ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲଗିଲା ନିଆଁ

ଉମରକୋଟ: ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ପୂଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ସେଠାରେ ଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସର୍ଟସର୍କିଟ ଯୋଗୁଁଁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।
ଉମରକୋଟ ବ୍ଲକ ପୂଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସିଲିଣ୍ଡର ଗୋଦାମରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ସିଲିଣ୍ଡର ଫାଟିଯିବା ଭଳି ଏକ ଶବ୍ଦ ହୋଇଥିଲା। ଏହି ଶବ୍ଦ ଶୁଣି କର୍ମଚାରୀମାନେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକଙ୍କୁ ଖବର ଦେଇଥିଲେ। ଏତିକି ବେଳକୁ ନିଆଁ ବ୍ୟାପୀ ଯାଇଥିଲା। ତେବେ ତୁରନ୍ତ ସମସ୍ତ କର୍ମଚାରୀ ମିଶି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁର ଉଗ୍ରରୂପ ଦେଖିବା ପରେ ଅଗ୍ନିଶମ ବାହିନୀକୁ ସେମାନେ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Powered by Froala Editor