ଯାଞ୍ଚ ହେବ ସେବାୟତଙ୍କ ଫୋନ, କାହିଁକି ଜାଣନ୍ତୁ
ପୁରୀ: ରଥ ଉପରେ ମୋବାଇଲ ଫୋନରେ ସେଲ୍ଫି ଏବଂ ଭିଡିଓ ରେକର୍ଡିଂ ସମ୍ପୂର୍ଣ୍ଣ ନିଷେଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଚଳିତବର୍ଷ ଏହି ନିଷ୍ପତ୍ତି କଡାକଡି କାର୍ୟ୍ୟକାରୀ କରାଯିବ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି। ତେଣୁ ରଥ ଉପରକୁ ସେବାୟତମାନେ ଯିବାବେଳେ ମୋବାଇଲ ଫୋନ ଯାଞ୍ଚ କରାଯିବ। ଛତିଶା ନିଯୋଗ ବୈଠକରେ ଏଥିନେଇ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଛି।
ରଥଯାତ୍ରା ସମୟରେ କୌଣସି ସେବାୟତ ଯଦି ପରିବାର ସହ କଥାହେବାକୁ ଚାହିଁବେ ତାଙ୍କୁ କ୍ୟାମେରା ନଥିବା ମୋବାଇଲ ଫୋନ ଦିଆଯିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ସେହିପରି ବିନାଭକ୍ତରେ ରଥଯାତ୍ରା ହେଉଥିବାରୁ କୌଣସି ସେବାୟତ ଠାକୁରଙ୍କ ସମ୍ମୁଖରେ ଛିଡା ନହେବାକୁ ପରାମର୍ଶ ଦିଆଯାଇଛି। କେଉଁ ରଥରେ କେଉଁ ନିଯୋଗର କେତେ ସେବାୟତ ରହିବେ ଶ୍ରୀମନ୍ଦିର ସ୍ବତ୍ବଲିପିକୁ ଭିତ୍ତିକରି ଖୁବ୍ଶୀଘ୍ର ତାଲିକା ପ୍ରସ୍ତୁତ କରାଯିବ ବୋଲି ଡ. କୁମାର କହିଛନ୍ତି।
Powered by Froala Editor