୪୭ ବର୍ଷ ପରେ ଠିକଣା ବଦଳାଇଲା କଂଗ୍ରେସ, ‘ଇନ୍ଦିରା ଭବନ’ରେ ପ୍ରବେଶ

୪୭ ବର୍ଷ ପରେ ଦେଶର ସର୍ବପୁରାତନ ଦଳ କଂଗ୍ରେସର ଠିକଣା ବଦଳିଯାଇଛି। ବୁଧବାର ନୂଆ ଘରେ ଗୃହ ପ୍ରବେଶ କରିଛି ଦଳ। ନୂଆ କାର୍ଯ୍ୟାଳୟର ନାମ ଇନ୍ଦିରା ଭବନ ରଖାଯାଇଛି। କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଫିତା କାଟି ନୂତନ ମୁଖ୍ୟାଳୟର ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ୯-ଏ କୋଟଲା ରୋଡ୍ ଏବେ କଂଗ୍ରେସର ନୂଆ ଠିକଣା ପାଲଟିଛି। ଏହା ପୂର୍ବରୁ କଂଗ୍ରେସ ମୁଖ୍ୟାଳୟ ଆକବର ରୋଡରେ ଥିଲା।
ସେହିଭଳି ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କେସି ଭେନୁଗୋପାଳଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ପାଞ୍ଚ ମହଲା ବିଶିଷ୍ଟ ଏହି କୋଠାଟି ପରିବେଶ ଅନୁକୂଳ। ଏହାର ନିର୍ମାଣ କାର୍ଯ୍ୟ ୨୦୧୬ରେ ଆରମ୍ଭ ହୋଇଥିଲା ଏବଂ ୨୦୨୫ରେ ଶେଷ ହୋଇଥିଲା।
ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଇନ୍ଦିରା ଭବନକୁ ଦେଶ ପାଇଁ ଗଣତନ୍ତ୍ରର ପାଠଶାଳା ବୋଲି ଅବିହିତ କରିଛନ୍ତି। ସେହିଭଳି ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ ରାୟବରେଲି ଏମ୍ପି ରାହୁଲ ଗାନ୍ଧୀ ଇନ୍ଦିରା ଭବନକୁ ତ୍ୟାଗ ଏବଂ କଠିନ ପରିଶ୍ରମର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି।
Powered by Froala Editor