ଖଣ୍ଡଗିରି ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ
ଭୁବନେଶ୍ୱର: ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ। ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି। ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ରଙ୍ଗୀନ ଆଲୋକ ମାଳାରେ ଝଲସିବ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶ। ଆଉ ଖଳନାୟକଙ୍କ ଗୁରୁଗମ୍ଭୀର ଡାଇଲଗରେ ପ୍ରକମ୍ପିତ ହେବ ପରିବେଶ। ହେଲେ ଗତ କିଛି ବର୍ଷ ହେଲା ଅଶ୍ଲୀଳ ନୃତ୍ୟକୁ ନେଇ ବଦନାମ ହୋଇଛି ଯାତ୍ରା ମହାକୁମ୍ଭ ଓ ଯାତ୍ରା। ସରକାରଙ୍କ ବାରମ୍ୱାର ତାଗିଦ୍ ସତ୍ତ୍ୱେ ଝାଇଁମରା ଡ୍ୟାନ୍ସ ହେଉଛି। ଯାହାକୁ ନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।ତେବେ ଏଥର କଠୋର ହୋଇଛନ୍ତି ସରକାର। ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ। ସେମାନଙ୍କୁ ଏଥର ମଞ୍ଚରେ ଡ୍ୟାନ୍ସ କରିବାକୁ ସୁଯୋଗ ଦିଆଯିବ ନାହିଁ। ଶୃଙ୍ଖଳିତ ଯାତ୍ରା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ୧୨ଟି ଯାତ୍ରା ପାର୍ଟିଭାଗ ନେବେ।
Powered by Froala Editor