ପ୍ରଧାନମନ୍ତ୍ରୀ ଉଦ୍ଘାଟନ କଲେ ଜେଡ୍-ମୋଡ଼ ସୁଡ଼ଙ୍ଗ

ଶ୍ରୀନଗର : କେନ୍ଦ୍ରୀୟ କଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ୬.୫ କିଲୋମିଟର ଜେଡ୍-ମୋଡ଼ ସୁଡ଼ଙ୍ଗର ଆଜି ଉଦ୍ଘାଟନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାହ୍ଣ ପ୍ରାୟ ୧୦ଟା ୪୫ରେ ଶ୍ରୀନଗର ବିମାନ ବନ୍ଦରରେ ଅବତରଣ କରି ଏହି ସୁଡ଼ଙ୍ଗର ଉଦ୍ଘାଟନ ପାଇଁ ସୋନମାର୍ଗ ଅଭିମୁଖେ ଯାତ୍ରା କରିଥିଲେ। ଉଦ୍ଘାଟନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଉପସ୍ଥିତ ଥିଲେ। ଗନ୍ଦେରବଲ ଜିଲ୍ଲାର ଗଗନଗିର ଓ ସୋନମାର୍ଗକୁ ସଂଯୋଗ କରୁଥିବା ୬.୫ କିଲୋମିଟର ଦୀର୍ଘ ଦୁଇ ଲେନ୍ ବିଶିଷ୍ଟ ଟନେଲ୍ ୨୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ହୋଇଛି। ଏହି ସୁଡ଼ଙ୍ଗରେ ୭.୫ ମିଟର ଚଉଡ଼ା ଜରୁରିକାଳୀନ ନିର୍ଗମ ପଥ ମଧ୍ୟ ରହିଛି।
ସମୁଦ୍ର ପତ୍ତନଠାରୁ ୮,୬୫୦ ଫୁଟ ଉଚ୍ଚତାରେ ଅବସ୍ଥିତ ଜେଡ୍-ମୋଡ଼ ସୁଡ଼ଙ୍ଗ ଶ୍ରୀନଗର ଓ ସୋନମାର୍ଗ ମଧ୍ୟରେ ବର୍ଷସାରା ଯୋଗାଯୋଗରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଭୂସ୍ଖଳନ ପ୍ରବଣ ଓ ହିମସ୍ଖଳନ ପ୍ରଭାବିତ ଅଞ୍ଚଳକୁ ଏଡ଼େଇ ଲେହକୁ ଯିବା ରାସ୍ତାକୁ ସହଜ କରିବ। ୨୦୧୫ ମେ ମାସରେ ନିର୍ମାଣ ଆରମ୍ଭ ହୋଇ ୨୦୨୪ରେ ଶେଷ ହୋଇଥିବା ଜେଡ୍-ମୋଡ଼ ସୁଡ଼ଙ୍ଗ ୨୦୨୪ ଫେବ୍ରୁଆରିରେ ଖୋଲିବା ପରେ ଏବେ ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୁଡ଼ଙ୍ଗ ଉଦ୍ଘାଟନ କରିବା ପରେ ସୋନାମାର୍ଗରେ ଏକ ସମାବେଶକୁ ସମ୍ବୋଧିତ କରି ଥିଲେ। ଏହି ସଭାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ମୋଦୀଙ୍କୁ ପ୍ରଶଂସା କରିଥିଲେ।
Powered by Froala Editor