ହୋଟେଲ ପାଲଟିଛି ଶଙ୍ଖଭବନ !
ଭୁବନେଶ୍ୱର: ବିଜେଡି ପାର୍ଟି ଅଫିସ ଶଙ୍ଖ ଭବନ ଏବେ ଲୋକଙ୍କ ପାଇଁ ହୋଟେଲ ସାଜିଛି। ଏଠାରେ ଖାଲି ଯେ, ଦଳୀୟ କର୍ମୀ ଖାଇଥାନ୍ତି ତା’ ନୁହେଁ, ଏଠାରେ ସାଧାରଣ ଲୋକ ବି ଖାଉଛନ୍ତି ମିଲ୍। ମିଲ୍ ମାଗଣା ନୁହେଁ, ମିଲ୍ର ଦାମ୍ ରହିଛି ମାତ୍ର ୮୦ ଟଙ୍କା। ୮୦ଟଙ୍କା ଦେଇ ଲୋକେ ପେଟପୂରା ଖାଉଥିବା କହିଛନ୍ତି।
ଆଗ ପଟରେ ଦଳୀୟ କାର୍ୟ୍ୟାଳୟ ଚାଲିଥିବାବେଳେ ପଛପଟେ ଚାଲିଛି ହୋଟେଲ। ହୋଟଲରେ ମେନୁ ବି ଲାଗିଛି। କେଉଁ ଖାଦ୍ୟର କେତେ ଦାମ୍ ତାହାର ତାଲିକା ରହିଛି। ସତେ ଯେମିତି ପଞ୍ଚତାରକା ହୋଟେଲ। ଠିକ୍ ୨୦୨୪ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଏହି ଶଙ୍ଖଭବନର ଶୁଭାରମ୍ଭ କରିଥିଲା। କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ଏହି ଦଳୀୟ କାର୍ୟ୍ୟାଳୟ ଏବେ ହୋଟେଲ ସାଜିଛି। ତେବେ ଖୋଦ୍ ନବୀନ ବାବୁଙ୍କ ଦଳୀୟ କାର୍ୟ୍ୟାଳୟ ଏବେ କାହିଁକି ହୋଟେଲ ସାଜିଛି ତାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଶଙ୍ଖଭବନକୁ ନେଇ ବିଜେପି ନେତା ଜଗା ପ୍ରଧାନ ଅଭିଯୋଗ କରି କହିଛନ୍ତି ଯେ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ରେଷ୍ଟୁରାଣ୍ଟ ଚାଲୁଛି । ଦଳୀୟ କାର୍ଯ୍ୟାଳୟ ପାଇଁ ବିଜେଡ ୨୦୨୧ରେ ସରକାରୀ ଜମି ନେଇଥିଲା । କିନ୍ତୁ ଶଙ୍ଖଭବନ ଏବେ ହୋଟେଲ ପାଲଟିଛି । ଶଙ୍ଖଭବନ କର୍ପୋରେଟ ଚାନ୍ଦାରେ ନିର୍ମାଣ କରାଯାଇଥିଲା । ଆଉ ଏବେ କର୍ପୋରେଟ ପଇସା ଆସୁନଥିବାରୁ ହୋଟେଲର ଆବଶ୍ୟକତା ରହିଛି । ବିଜେଡିର ଏହି ହୋଟେଲକୁ କିଏ ଚଳାଉଛି ଓ ଏହା ପଛର ଉଦେ୍ଧଶ୍ୟ କ’ଣ ବିଜେଡି ତାହା ସ୍ପଷ୍ଟ କରୁ । ଯାହା ପଇସା ଥିଲା ପାଣ୍ଡିଆନ ନେଇକି ପଳାଇଲେ । ତେଣୁ ଶଙ୍ଖଭବନ ଚଳାଇବା ପାଇଁ ବିଜେଡି ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ଜଗା ପ୍ରଧାନ କହିଛନ୍ତି ।ଏମିତି ରାଜ୍ୟ ସରକାର ବିଜେଡି ଠାରୁ ଜମି ଫେରାଇ ଆଣନ୍ତୁ ବୋଲି ଶ୍ରୀ ପ୍ରଧାନ ଦାବି କରିଛନ୍ତି ।
Powered by Froala Editor