ଜେଲ୍ରେ ୭୦ ବର୍ଷୀୟ କଏଦୀର ମୃତ୍ୟୁ
ବାଲେଶ୍ୱର ଜେଲ୍ ହାଜତରେ ଜଣେ ୭୦ ବର୍ଷୀୟ ବିଚାରାଧୀନ କଏଦୀଙ୍କର ରବିବାର ମୃତ୍ୟୁ ହୋଇଛି । ମୃତକ ହେଲେ ସଦର ଥାନା ଅଧୀନ ଜୟଦେବକସବା ଗ୍ରାମର ଏସ୍କେ ଜମାଲ । ଏକ ମାମଲାରେ ସଦର ଥାନା ପୁଲିସ୍ ଜମାଲଙ୍କୁ ଗତ ୪ ତାରିଖରେ ଗିରଫ କରିଥିଲା । ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତ ଯାଇଥିଲେ । ଗତ ୫ ତାରିଖ ତାଙ୍କର ଦେହ ଅସୁସ୍ଥ ହୋଇଥିଲା । ଜେଲ୍ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ସୁସ୍ଥ ହେବା ପରେ ପୁନଶ୍ଚ ୭ ତାରିଖରେ ଜେଲ୍ ହାଜତକୁ ଅଣାଯାଇଥିଲା । ରବିବାର ତାଙ୍କର ଦେହ ପୁଣି ଅସୁସ୍ଥ ହୋଇଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଜଲାଲଙ୍କ ଏଭଳି ମୃତ୍ୟୁ ପାଇଁ ପରିବାର ଲୋକ ଜେଲ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ପରିବାର ଲୋକଙ୍କ ଅଭିଯୋଗ ଯେ, ଜଲାଲଙ୍କ ମଧୁମେହ ସହ ଅନ୍ୟ ରୋଗ ଥିଲା । ଦେହ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ସତ୍ତ୍ୱେ ତାଙ୍କୁ ପୁଣି ଜେଲ୍ ନେଇଗଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ଗୁରୁତ୍ୱ ଦିଆଗଲାନି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଯଦି ଜେଲ୍ କର୍ତ୍ତୃପକ୍ଷ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱ ଦେଇଥାନ୍ତେ³ ତେବେ ଏଭଳି ଅଘଟଣ ଘଟି ନ ଥାନ୍ତା ବୋଲି ସେମାନେ କହିଛନ୍ତି ।
କେବଳ ସେତିକି ନୁହେଁ ତଦନ୍ତ ଆଳରେ ଜେଲ୍ରେ ଜମାଲଙ୍କୁ ଶାରୀରିକ, ମାନସିକ ନିର୍ଯାତନା ଦିଆଯାଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିସହ ଚିକିତ୍ସାରେ ଅବହେଳାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣାର ପ୍ରକୃତ ତଦନ୍ତ କରିବା ସହ ନ୍ୟାୟ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି ।
Powered by Froala Editor