ଏ ବର୍ଷ କେବଳ ସେବାୟତମାନେ ହିଁ ରଥ ଟାଣିବେ

୧୨ ତାରିଖରେ ରଥଯାତ୍ରା ହେବ । ଗତବର୍ଷ ଭଳି ଏବର୍ଷ କେବଳ ସେବାୟତମାନେ ହିଁ ରଥ ଟାଣିବେ । ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏ ନିଷ୍ପତ୍ତି ହୋଇଛି। ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଗଣମାଧ୍ୟମକୁ କହିଛନ୍ତି, “ମହାପ୍ରଭୁଙ୍କ ରଥକୁ ମନ୍ଦିର କିମ୍ବା ଜିଲ୍ଲା ପ୍ରଶାସନର ଅଧିକାରୀମାନେ ରଥ ଟାଣିବେ ନାହିଁ। ସେବାୟତମାନେ ହିଁ ରଥ ଟାଣିବେ । ରଥଯାତ୍ରାରେ ସଂପୃକ୍ତ ସେବାୟତ ଓ ଅଧିକାରୀଙ୍କର କୋଭିଡ୍ ଟେଷ୍ଟ ହେବ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ବିଶ୍ରାମର ବ୍ୟବସ୍ଥା ହେବ। ସେବାୟତମାନଙ୍କୁ ମାସ୍କ ଓ ସାନିଟାଇଜର ଯୋଗାଇ ଦିଆଯିବ । ରଥଟଣା ବେଳେ ସେବାୟତମାନଙ୍କୁ ମୋବାଇଲ ଓ କ୍ୟାମେରା ମନା ହୋଇଛି ।”
ସେପଟେ ବିନାଭକ୍ତରେ ରଥଯାତ୍ରା ପାଇଁ ତତ୍ପର ହୋଇଛି ପୁରୀ ପୁଲିସ୍। ସ୍ନାନଯାତ୍ରା ଅପେକ୍ଷା ଘୋଷଯାତ୍ରା ପାଇଁ କଟକଣା ଆହୁରି କଡ଼ା ହେବ। ରଥଯାତ୍ରା ପାଇଁ ପୁରୀ ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ତିନିଟି ଜୋନ୍ରେ ବିଭକ୍ତ କରାଯିବ ବୋଲି ପୁରୀ ଏସ୍ପି କନଓ୍ୱର ବିଶାଳ ସିଂ ସୂଚନା ଦେଇଛନ୍ତି। ଏଥିସହ ପ୍ରାୟ ୭୦ ପ୍ଲାଟୁନ୍ ଫୋର୍ସ ଏଥର ମୁତୟନ ହେବେ। ରଥଯାତ୍ରା ପୂର୍ବ ରାତିରୁ ସହରର ସବୁ ପ୍ରବେଶ ପଥ ସିଲ୍ କରାଯିବାକୁ ସ୍ଥିର ହୋଇଛି ବୋଲି ଏସ୍ପି କହିଛନ୍ତି।
Powered by Froala Editor