୬ ମାସର ଗର୍ଭବତୀ ଥିଲା ବୋହୂ, ବାଇକ୍ ପାଇଁ ମାରିଦେଲେ
ଆଜି ବି ବୋହୂକୁ ସାମାନ୍ୟ ଜିନିଷ ପାଇଁ ମାରି ଦିଆଯାଉଛି । ସାଧାରଣ ବାଇକ୍ଟିଏ ପାଇଁ କେନ୍ଦୁଝର ଜିଲ୍ଲରେ ଜଣେ ଗର୍ଭବତୀଙ୍କୁ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ବୋହୂ ୬ ମାସର ଗର୍ଭବତୀ ଥିଲେ ବି ତାକୁ ସବୁବେଳେ ବାଇକ୍ ପାଇଁ ମାନସିକ ଓ ଶାରୀରିକ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଚଳିତବର୍ଷ ଜୁଲାଇ ମାସ ୧୪ ତାରିଖରେ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ସୁଲେଇଖମାର ଅଞ୍ଚଳର ପୁକ ପଲେଇଙ୍କ ଝିଅ ଦମୟନ୍ତୀଙ୍କ ବିବାହ ହୋଇଥିଲା । ବାମେବାରୀ ଥାନା କମଳପୁର ଗ୍ରାମର ପପୁ ବେହେରା ହାତ ଧରିଥିଲେ ଦମୟନ୍ତୀ । ବିବାହ ସମୟରେ କନ୍ୟାପକ୍ଷଙ୍କ ଦାବି ଅନୁସାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା । କେବଳ ବାଇକ୍ ଦେବାକୁ ସକ୍ଷମ ହୋଇପାରିନଥିଲେ । ପରବର୍ତ୍ତୀ ସମୟରେ ବାଇକ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ହେଲେ ବାଇକ୍ ପାଇଁ ଦମୟନ୍ତୀକୁ ସ୍ୱାମୀ, ଶ୍ୱଶୂର, ଶାଶୂ, ଦେଢ଼ଶ୍ୱର ଓ ଯାଆ ନିର୍ଯାତନା ଦେବା ସହିତ ଅନେକ ସମୟରେ ମାଡ଼ ମାରୁଥିଲେ । ଏପରିକି ଖାଇବାକୁ ମଧ୍ୟ ଦେଉନଥିଲେ ବୋଲି ଦମୟନ୍ତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଏହା ଭିତରେ ଦମୟନ୍ତୀ ୬ ମାସର ଗର୍ଭବତୀ ଥିଲେ । ହଠାତ୍ ଶୁକ୍ରବାର ସନ୍ଧ୍ୟାରେ ଜ୍ୱାଇଁ ପପୁ ଫୋନ୍ରେ ଦମୟନ୍ତୀ ଅସୁସ୍ଥ ଥିବା ସୂଚନା ଦେଇଥିଲେ । ଦମୟନ୍ତୀକୁ ସେମାନେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ନେଇଆସିଛନ୍ତି ବୋଲି କହିଥିଲେ । କିନ୍ତୁ ସେଠାରେ ଡାକ୍ତର ଦମୟନ୍ତୀକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଦମୟନ୍ତୀଙ୍କ ବାପଘର ଲୋକ ଯୋଡା ବାମେବାରୀ ଥାନାରେ ଏତଲା ଦେଇଛନ୍ତି ।
Powered by Froala Editor