ତୋରଣ ପୋତାକୁ ନେଇ ବିଜେଡି ଓ ବିଜେପି ବିବାଦ, ୧୬୩ ଧାରା ଜାରି
ନୂଆଦିଲ୍ଲୀ: ନୂଆବର୍ଷ ତୋରଣ ପୋତାକୁ ନେଇ ବିବାଦ। ବିବାଦ ଉଗ୍ର ରୂପ ନେବାରୁ ଦେଖାଦେଲା ଉତ୍ତେଜନା ଓ ଛକାପଞ୍ଝା। ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହେବା ପରେ ଜାରି ହେଲା ଧାରା ୧୬୩। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଦୁର୍ଗାମଣ୍ଡପ ଛକରେ ଧାରା ୧୬୩ ଲାଗୁ ହୋଇଛି। ସୂଚନା ଅନୁସାରେ, ଛକରେ ବିଜେପି କର୍ମୀ ମାନେ ନୂଆବର୍ଷ ତୋରଣ ପୋତୁଥିବା ବେଳେ ଏହାକୁ ବିଜେଡି କର୍ମୀମାନେ ବିରୋଧ କରିଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିବା ସହିତ ଉତ୍ତେଜନା ଦେଖାଦେଇଥିଲା।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଶାନ୍ତ କରିବା ପରେ ଉଭୟ ଦଳର କର୍ମୀଙ୍କୁ ଥାନାକୁ ଡାକି ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା । ତେବେ ଉଭୟ ପକ୍ଷ ଛକରେ ତୋରଣ ନିର୍ମାଣ ଜିଦ୍ ରେ ଅଟଳ ରହିବା ପରେ, ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଧାରା ୧୬୩ ଲାଗୁ ହୋଇଛି ।ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ଏହି କଟକଣା ଲାଗୁ ହେବା ସହିତ, ଉଭୟ ପକ୍ଷଙ୍କୁ ଦୁର୍ଗାମଣ୍ଡପ ଛକରେ କୌଣସି ପ୍ରକାର କାର୍ୟ୍ୟକଳାପରୁ ନିବୃତ ରହିବା ପାଇଁ ନିର୍ଦ୍ଦେଶ ରହିଛି। କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି କଟକଣା ଲାଗୁ ହୋଇଛି । ଆଇନଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ପୁଲିସ ମୁତୟନ କରାଯାଇଛି। ତେବେ ଏନେଇ ବିଜେପି, ବିଜେଡି କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
Powered by Froala Editor