ହସ୍ପିଟାଲ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ: ଆଇନମନ୍ତ୍ରୀ
ନୂଆଦିଲ୍ଲୀ: ସଂସଦରେ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି ଓ ଆରୋପ ପ୍ରତ୍ୟାରୋପ । ରାହୁଲ ଗାନ୍ଧୀ ତାଙ୍କୁ ଠେଲିଥିବା ପ୍ରତାପ ଷଡ଼ଙ୍ଗୀ କହିଥିବାବେଳେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି । ଠେଲାପେଲାରେ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମୋଟ ୨ ଜଣ ସାଂସଦ ଆହତ ହୋଇଛନ୍ତି । ତେବେ ହସ୍ପିଟାଲ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ମେଘୱାଲ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ସମସ୍ତଙ୍କର ଧାରଣା ଦେବାର ଅଧିକାର ରହିଛି । କିନ୍ତୁ ରାହୁଲ ଗାନ୍ଧୀ ଶାରୀରିକ ଆକ୍ରମଣ କରିଛନ୍ତି । କଂଗ୍ରେସ ସବୁବେଳେ ଆମ୍ବେଦକରଙ୍କ ପ୍ରତି ଅନ୍ୟାୟ କରିଛି ବୋଲି ସେ କହିଛନ୍ତି ।
ପ୍ରକାଶ ଯେ ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ପ୍ରତାପ ଷଡ଼ଙ୍ଗୀଙ୍କ କହିବା ହେଲା, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସଂପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଂସଦ ପରିସରରେ କଂଗ୍ରେସ ପାର୍ଟିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
ଏହି ଘଟଣା ପରେ ସଫେଇ ରଖିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, " ମୁଁ ସଂସଦର ପ୍ରବେଶ ଦ୍ୱାର ଦେଇ ଭିତରକୁ ଯିବାକୁ ଚେଷ୍ଟା କରୁଥିଲି, ବିଜେପି ସାଂସଦମାନେ ମୋତେ ଅଟକାଇବାକୁ, ଠେଲି ଦେବାକୁ ଏବଂ ଧମକ ଦେବାକୁ ଚେଷ୍ଟା କରୁଥିଲେ । ତେଣୁ ଏପରି ଘଟଣା ଘଟିଛି । ହଁ ଏପରି ଘଟିଛି ମଲିକାର୍ଜୁନ ଖଡଗେଙ୍କୁ ଧକ୍କା ଦିଆଯାଇଛି । କିନ୍ତୁ ଆମେ ଧକ୍କା ମୁକ୍କାରେ ପ୍ରଭାବିତ ହେଉନାହୁଁ । ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ଭିତରକୁ ଯିବାର ଅଧିକାର ଅଛି । ବିଜେପି ସାଂସଦ ମାନେ ଆମକୁ ଭିତରୁ ନଯିବାକୁ ଚେଷ୍ଟା କରୁଥିଲେ । ମୁଖ୍ୟ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଆମ୍ବେଦକରଙ୍କୁ ଅପମାନ କରୁଛନ୍ତି। ''
Powered by Froala Editor