ଠେଲାପେଲା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଦିଆଗଲା ସୂଚନା

ନୂଆଦିଲ୍ଲୀ:ସଂସଦରେ ପଡ଼ି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହେବା ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି ଓ ଆରୋପ ପ୍ରତ୍ୟାରୋପ । ତେବେ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହେବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଯାଇଛି । ଠେଲାପେଲା ସମ୍ପର୍କରେ ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ମୋଦୀଙ୍କୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।
ପ୍ରକାଶ ଯେ ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ସୂଚନା ମିଳିଛି । ପ୍ରତାପ ଷଡ଼ଙ୍ଗୀଙ୍କ କହିବା ହେଲା, କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସଂପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଂସଦ ପରିସରରେ କଂଗ୍ରେସ ପାର୍ଟିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି ।
ଏହି ଘଟଣା ପରେ ସଫେଇ ରଖିଛନ୍ତି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି, " ମୁଁ ସଂସଦର ପ୍ରବେଶ ଦ୍ୱାର ଦେଇ ଭିତରକୁ ଯିବାକୁ ଚେଷ୍ଟା କରୁଥିଲି, ବିଜେପି ସାଂସଦମାନେ ମୋତେ ଅଟକାଇବାକୁ, ଠେଲି ଦେବାକୁ ଏବଂ ଧମକ ଦେବାକୁ ଚେଷ୍ଟା କରୁଥିଲେ । ତେଣୁ ଏପରି ଘଟଣା ଘଟିଛି । ହଁ ଏପରି ଘଟିଛି ମଲିକାର୍ଜୁନ ଖଡଗେଙ୍କୁ ଧକ୍କା ଦିଆଯାଇଛି । କିନ୍ତୁ ଆମେ ଧକ୍କା ମୁକ୍କାରେ ପ୍ରଭାବିତ ହେଉନାହୁଁ । ଏହା ହେଉଛି ପ୍ରବେଶ ଦ୍ୱାର ଏବଂ ଆମର ଭିତରକୁ ଯିବାର ଅଧିକାର ଅଛି । ବିଜେପି ସାଂସଦ ମାନେ ଆମକୁ ଭିତରୁ ନଯିବାକୁ ଚେଷ୍ଟା କରୁଥିଲେ । ମୁଖ୍ୟ ପ୍ରସଙ୍ଗ ହେଉଛି ସେମାନେ ସମ୍ବିଧାନ ଉପରେ ଆକ୍ରମଣ କରୁଛନ୍ତି ଏବଂ ଆମ୍ବେଦକରଙ୍କୁ ଅପମାନ କରୁଛନ୍ତି। ''
Powered by Froala Editor