କଟକ ମୋ ବସ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ନିର୍ଦ୍ଦେଶ
କଟକ : କଟକ ମୋ ବସ୍ ରେ ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ନିର୍ଦେଶ। ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ଵରେ ଗଠିତ ଏକ କମିଟି ଏହି ଘଟଣାର ତଦନ୍ତ କରିବ । ଏହି କମିଟିରେ ଏମଭିଆଇ , କ୍ରୁଟର ଅପରେସନ ମ୍ୟାନେଜର , ଡିପୋ ମ୍ୟାନେଜର ଏବଂ ବସ୍ ଅପୋରେଟର ରହିଛନ୍ତି। ଏହାସହ ଏକ ବୈଷୟିକ ଟିମକୁ ମଧ୍ୟ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଥିବା କ୍ରୁଟ୍ ପକ୍ଷରୁ ସୂଚନା ମିଳିଛି। ସୂଚନା ମୂତାବକ ଶନିବାର ରାତି ୮ଟାରେ ଏକ ମୋ’ବସ ଖପୁରିଆ ମାଛଗୋଦାମ-ମଧୁପାଟଣା ଛକ ଯିବା ରାସ୍ତାରେ ତ୍ରୁଟି ଦେଖାଦେଇଥିଲା। ଚାଳକ ଗାଡିକୁ ସେଠାରେ ଅଟକାଇ ମିସ୍ତ୍ରୀ ଡାକି ମରାମତି କରାଉଥିଲେ। ଏହି ସମୟରେ ଇଞ୍ଜିନରୁ ହଠାତ୍ .ପ୍ରବଳମାତ୍ରାରେ ଧୂଆଁ ବାହାରି ଜଳି ଉଠିଥିଲା। ଏହାକୁ ଦେଖି ଚାଳକ ସହିତ ସେହି ରାସ୍ତାଦେଇ ଯା’ଆସ କରୁଥିବା ଲୋକେ ଭୟଭୀତ ହୋଇ ଧାଁ ଦୌଡ କରିଥିଲେ। ଚାହୁଁଚାହୁଁ ନିଆଁ ବସ୍କୁ ବ୍ୟାପୀ ଯାଇଥିଲା। ବସ୍ଟି ରାଜପଥ ପାର୍ଶ୍ବ ମୁଖ୍ୟ ରାସ୍ତାରେ ଜଳୁଥିବାରୁ ଯାତାୟାତ ପ୍ରଭାବିତ ହୋଇଥିଲା। ଖବରପାଇ ଚାଉଳିଆଗଞ୍ଜ ଅଗ୍ନିଶମ କେନ୍ଦ୍ରରୁ ୧୦ରୁ ଊର୍ଦ୍ଧ୍ବ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚିଥିଲେ, ସେତେବେଳକୁ ନିଆଁ ସମ୍ପୂର୍ଣ୍ଣ ବସକୁ କବଳିତ କରିସାରିଥିଲା। ଏପରିକି ବସର ତେଲ ଟାଙ୍କି ଯାଏ ନିଆଁ ବ୍ୟାପିଯାଇଥିଲା। ଫଳରେ କୌଣସି ମୁହୂର୍ତ୍ତରେ ବଡ ଧରଣର ଆଶଙ୍କା ଉପଜିବା ଦେଖି ଆଖପାଖରୁ ଲୋକଙ୍କୁ ଖାଲି କରିଦିଆଇଥିଲା। ଅଗ୍ନିଶମ କେନ୍ଦ୍ର ଅଧିକାରୀ ବିକାଶ ସାହୁଙ୍କ ନେତୃତ୍ୱରେ କର୍ମଚାରୀମାନେ ଦୁଇ ଭାଗରେ ବିଭକ୍ତ ହୋଇ ନିଆଁ ଲିଭା କାର୍ଯ୍ୟରେ ଲାଗିପଡ଼ିଲେ। ପ୍ରଥମେ ତେଲ ଟାଙ୍କି ପାର୍ଶ୍ବକୁ ଫୋର୍ମ ଲିକ୍ୟୁଡି ସ୍ପ୍ରେ କରାଯାଇଥିଲା। ସେହି ସମୟରେ ଅନ୍ୟ ଦଳ ଇଞ୍ଜିନ ନିଆଁ ଆୟତ୍ତ କରିବା ଲାଗି ପାଣି ମାଡ଼ କରିଥିଲେ। ପ୍ରାୟ ୪୦ମିନିଟ୍ରୁ ଅଧିକ ସମୟ ଧରି କସରସ କରିବା ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡରେ ବସଟି ସମ୍ପୂର୍ଣ୍ଣ ଜଳିଯାଇ ନଷ୍ଟ ହୋଇଯାଇଛି। ସଟସର୍କିଟ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଏସଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି।
Powered by Froala Editor